ତୁଷୁରାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ଅଳିଆ ଆର୍ବଜନାରେ ପୋତି ହୋଇଛି ଡ୍ରେନ, ଘରକୁ ପଶୁଛି ଡ୍ରେନର ଦୂଷିତ ପାଣି : ଲୋକେ ହନ୍ତସନ୍ତ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଏନଏସିର ତୁଷୁରା ସହର ଭିତରେ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି । ସହରର ଚାରିପଟରେ ଡ୍ରେନ ରହିଛି କିନ୍ତୁ ନିୟମିତ ସଫା କରାଯାଉ ନ ଥିବାରୁ ଡ୍ରେନର ଅଳିଆ ପାଣି ଘର ଭିତରକୁ ପଶୁଛି । ଏନଏସି କାର୍ଯ୍ୟାଳୟରୁ ନିକଟସ୍ଥ ପତିତପାବନପଡା ପର୍ୟ୍ୟନ୍ତ ଡ୍ରେନେଜ୍ ରହିଛି । ଯେଉଁ ଡ୍ରେନ ଏବେ ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇ ପାଣି ନିଷ୍କାସନ ହୋଇ ପାରୁନାହିଁ । ଏନେଇ ପଡାବାସୀ ତୁଷୁରା ଏନଏସି କାର୍ୟ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ । କିନ୍ତୁ ଏନଏସି ପ୍ରଶାସନ କିଛି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ଡ୍ରେନରେ ଅଳିଆ ଆବର୍ଜନା ପୂରି ଯାଇଥିବାରୁ ମଇଳା ପାଣି ରାସ୍ତା ଉପରକୁ ମାଡି ଆସୁଛି । ଫଳରେ ସେଠାକାର ପରିବେଶ ଦୁର୍ଗନ୍ଧରେ ଫାଟି ପଡ଼ୁଛି । ଯଦି ଏନଏସି କାର୍ୟ୍ୟାଳୟ ପାଖର ଥିବା ଡ୍ରେନ ଅବସ୍ଥା ଏମିତି ତା’ ହେଲେ ସହର ଭିତରେ ଥିବା ଅନ୍ୟ ଡ୍ରେନଗୁଡ଼ିକ କେମିତି ହୋଇଥିବ ତାହା ସହଜେ ଅନୁମେୟ । ସେହିପରି ତୁଷୁରା ଅଗ୍ରେସନ ଭବନରୁ ଚାଟିପଦର ରାସ୍ତା, ଶିବ ମନ୍ଦିରରୁ ରପଟାବନ୍ଧ, ମିଳନ ଛକରୁ ଗୁଡ଼ଭେଳା ରାସ୍ତାରେ ଥିବା ଡ୍ରେନଗୁଡିକର ପାଣି ବାହାରେ ଜମୁଛି । ଏଣୁ ଡ୍ରେନ ଗୁଡ଼ିକର ମଇଳା ଆବର୍ଜନା ଶୀଘ୍ର ସଫା କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.