ଧାନକିଣାରେ ଅବ୍ୟବସ୍ଥା ଅଭିଯୋଗ : ଦେଓଗାଁ ଗାଇବାହାଲ ପଞ୍ଚାୟତରେ ଚାଷୀ ଅସନ୍ତୋଷ

  • ଏସ୍‌ଏଚ୍‌ଜି ବଦଳରେ ଦେଓଗାଁ ପେକ୍ସକୁ ଦିଆଯିବାକୁ ଯୋଗାଣଅଧିକାରୀଙ୍କୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ ୧୫୮ ପେକ୍ସ ଓ ୧୮ଟି ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଧାନକିଣା ଦାୟିତ୍ୱ ଦିଆଯାଇଛି । ଦେଓଗାଁ ପେକ୍ସରେ ଦେଓଗାଁ ଓ ଗାଇବାହାଲ ଗ୍ରାମପଞ୍ଚାୟତର ଚାଷୀ ଧାନ ବିକ୍ରି କରିଥାନ୍ତି । ଚଳିତବର୍ଷ ମଧ୍ୟ ଚାଷୀଙ୍କ ଟୋକନ ଆସିଥିଲା । ପେକ୍ସରେ ପ୍ରାୟ ୪ହଜାର କ୍ୱିଣ୍ଟାଲ ଧାନ କିଣା ବିକା ହୋଇସାରିଲାଣି । କିନ୍ତୁ ହଠାତ୍‌ ଗତ ୨୦ ତାରିଖରେ ଚାଷୀଙ୍କ ଟୋକନ ବଦଳିଯାଇ ଗାଇବାହାଲର ଏକ ଏସ୍‌ଏଚ୍‌ଜିକୁ ଧାନକିଣା ଦାୟିତ୍ୱ ଦିଆଯାଇଛି । ଫଳରେ ଗାଇବାହାଲ ପଞ୍ଚାୟତର ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ଏସ୍‌ଏଚ୍‌ଜି ମାତ୍ର ଦୁଇମାସ ତଳେ କାର୍ୟ୍ୟକ୍ଷମ ହୋଇଛି ଓ ତାହାର କୌଣସି ଭିତ୍ତିଭୂମି ନାହିଁ ତାକୁ କିପରି ଧାନକିଣା ଦାୟିତ୍ୱ ଦିଆଯାଇଛି । ଏହି ଏସ୍‌ଏଚ୍‌ଜିକୁ ଧାନକିଣା ଦାୟିତ୍ୱ ଦେବାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ ଚାଷୀମାନେ ଗୁରୁବାର ଦିନ ବଲାଙ୍ଗିର ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଭେଟି ଏନେଇ ଆଲୋଚନା କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଚାଷୀମାନେ ଦେଓଗାଁ ପେକ୍ସ ଓ ଏସ୍‌ଏଚ୍‌ଜି ଯିଏ ଯେଉଁଠି ଚାହିଁଲେ ବିକ୍ରି କରିବାର ସୁଯୋଗ ଦେବାକୁ ଦାବି କରାଯାଇଛି । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ରଙ୍କୁ ପଚାରିବାରୁ ଚାଷୀମାନେ ଏନେଇ ଲିଖିତ ଅଭିଯୋଗପତ୍ର ଦେଇଛନ୍ତି । ସେ ବିଷୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଗାଈବାହାଲ ପଞ୍ଚାୟତର ଛବିଳ ମାଝୀ, ସନ୍ତୋଷ ପଧାନ, ଜୟଲାଲ କରନ, ହେମସାଗର ବଗର୍ତ୍ତୀ, ତପନ ବଗର୍ତ୍ତୀ, ଜଗତରାମ ବଗର୍ତ୍ତୀ, ସିରୋ ମେହେର, ଅନାମ ବେହେରା, ଜଗନ୍ନାଥ ବଗର୍ତ୍ତୀ, ଭୁବନମୋହନ ବଗର୍ତ୍ତୀ, ସନ୍ତୋଷ ମାଝୀ, ଭରତ ମେହେର, ଲାଲୁ ମେହେର, ଲବ ମେହେର, ଅମିତ ଭୋଇଙ୍କ ସମେତ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଚାଷୀଙ୍କ ସହିତ ପୂର୍ବତନ ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମଣକୁମାର ମେହେର, ଦେଓଗାଁ ପେକ୍ସ ସଭାପତି ଶୈଳେନ୍ଦ୍ରକୁମାର ସାହୁ ମଧ୍ୟ ଆସି ଚିଫ୍‌ ସିଏସ୍‌ଓଙ୍କ ସହିତ ଆଲୋଚନା କରିଥିଲେ ।

Leave A Reply

Your email address will not be published.