jsm

କୋସଲି ଭାଷାର ପ୍ରସାର ନିମନ୍ତେ ଚିନ୍ତନ ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲି ଭାଷାର ବହୁଳ ପ୍ରସାର ତଥା ବିକାଶ ନିମନ୍ତେ ଆଲୋଚନା ପାଇଁ କୋସଲି କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଗୁଗୁଲ ମିଟରେ ଅନୁଷ୍ଠିତ ହୋଇଯାଇଛି । କୋସଲି ଭାଷା ଓ ସଂସ୍କୃତି ଗବେଷକ ସୁରଜିତ ସିଂ ମହାରଥା ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ରଂଜିତ ସିଂ ମହାରଥା, ଦିଲ୍ଲୀପ ପସାୟତ, ବିନୟ କୁମାର ଦାଶ, ସାକେତ ଶ୍ରୀ ଭୁଷଣ ସାହୁ, ଧରମ ସିଂ ଧରୁଆ, କୃପାସିନ୍ଧୁ ମହାକୁର, କ୍ଷୀରୋଦ୍ର କୁମାର ସାହୁ, ହେମନ୍ତ ଦୀପ ଯାଦବ, ଦିନେଶ ଭୋଇ, କେକି ସିଂ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରି କୋସଲି ଭାଷାର ସାମ୍ବିଧାନିକ ମାନ୍ୟତା, କୋସଲି କୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ପ୍ରଦାନ, କୋସଲି ଭାଷାରେ ପ୍ରାଥମିକ ଶିକ୍ଷା, କୋସଲି ସାହିତ୍ୟ ଏକାଡେମୀ ଗଠନ ପାଇଁ ସରକାରଙ୍କ ନିକଟରେ ଦୃଢ ଦାବୀ ଉପସ୍ଥାପନା କରିବା ପାଇଁ ଆଲୋଚନା ହୋଇଥିଲା । ଅତୀତରେ ମଧ୍ୟ ଏଥି ପାଇଁ ଅନେକ ଧାରଣା ଓ ରେଲି ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଆୟୋଜିତ ହୋଇସାରିଛି । ଆସନ୍ତା ଦିନରେ ମଧ୍ୟ ଆମ ଭାଷାର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବ । କୋସଲି ଏକ ସ୍ୱତନ୍ତ୍ର ଓ ସମୃଦ୍ଧ ଭାଷା ହୋଇଥିବାରୁ ଏହାର ବିକୃତି କରଣକୁ ମଧ୍ୟ ଗ୍ରହଣ କରାଯିବ ନାହିଁ ବୋଲି କବି ଓ ଲେଖକମାନେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ କୋସଲି ଭାଷାର ଅସ୍ମିତା ବିଷୟରେ ଯୁବଗୋଷ୍ଠୀକୁ ଆକୃଷ୍ଟ କରିବା ଓ ସଚେତନ କରାଇବା ପାଇଁ ବିଦ୍ୟାଳୟମାନଙ୍କରେ ତଥା ଗ୍ରାମାଞ୍ଚଳରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୈଠକରେ ସ୍ଥିରୀକୃତ ହେଲା । ଏହି କାର୍ଯ୍ୟକ୍ରମରେ ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା, ବୌଦ୍ଧ ଜିଲ୍ଲାରୁ ଅନେକ କବି ଓ ଲେଖକ ଅଂଶ ଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.