csstore

ଏକ ତାରିଖରୁ ଯାନବାହନ ଯାଞ୍ଚ କଡାକଡି କରାଯିବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମଗ୍ର ରାଜ୍ୟରେ ଆସନ୍ତା ଡ଼ିସେମ୍ବର ମାସ ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ କରାଯିବ । ଏହି ଅବସରରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯିବ ।
ସମଗ୍ର ଦେଶରେ ବାର୍ଷିକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧.୫୦ ଲକ୍ଷ ଥିବା ବେଳେ ଆମ ରାଜ୍ୟ ଓଡିଶାରେ ବର୍ଷ କୁ ୫୦୦୦ ଲୋକଙ୍କର ପ୍ରାଣହାନୀ ଘଟୁଛି । ଏହି ମୃତ୍ୟୁହାର କିପରି ହ୍ରାସ ପାଇବ ତାହା ସମସ୍ତଙ୍କ ପାଇଁ ଚିନ୍ତା ଓ ଉଦ୍‌ବେଗର କାରଣ ହୋଇଛି । ଗତ ଏପ୍ରିଲ ୧ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସରକାର ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରି ମୃତ୍ୟୁହାର ୪୦%ରୁ ୨୮.୬%କୁ ହ୍ରାସ କରିଛନ୍ତି । ତେଣୁ ଜନସାଧାରଣ, ସମସ୍ତ ଗାଡି ମାଲିକ ଓ ଅନ୍ୟାନ୍ୟ ସ୍ବେଛାସେବୀ ଅନୁଷ୍ଠାନ ଏହି ନିୟମ ଗୁଡିକୁ କଡାକଡି ଭାବରେ ପାଳନ କଲେ ଏହା ଆମ ଜିଲ୍ଲା ପାଇଁ ଏକ ସୁସ୍ଥ ସମାଜ ଗଠନ କରିବାରେ ନିଶ୍ଚିତ ସହାୟକ ହେବା ସଂଗେ ଅନେକ ଅମୂଲ୍ୟ ଜୀବନ ରକ୍ଷାପାଇ ପାରିବ ବୋଲି ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ନିବେଦନ କରିଛି । ଅମାନିଆ ମାନଙ୍କ ପାଇଁ କଠୋର କାର୍ଯ୍ୟନୁଷ୍ଠାନ ନେବାପାଇଁ ମଧ୍ୟ ସୂଚାଇ ଦିଆଯାଇଛି । ଦୁଇ ଚକିଆ ଗାଡି ଚଲେଇବା ବେଳେ ହେଲ୍‌ମେଟ୍‌ ପରିଧାନ ବାଧ୍ୟତା ମୂଳକ । ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲାନ୍ତୁ ନାହିଁ ନଚେତ୍‌ ଧରା ପଡିଲେ ୫୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ । ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ ନଚେତ ଧରା ପଡିଲେ ୧୦,୦୦୦/- ଟଙ୍କା ଜରିମାନା ଆଦାୟ କରାଯିବ । ମାଲ୍‌ବାହି ଗାଡିରେ କୌଣସି ଯାତ୍ରୀଙ୍କୁ ନେଇ ଯାତ୍ରା କରନ୍ତୁ ନାହିଁ । ମୋବାଇଲ ଫୋନ୍‌ ବ୍ୟବହାର କରି ଗାଡି ଚଲାନ୍ତୁ ନାହିଁ । ଧାର୍ଯ୍ୟ ଓଜନଠାରୁ ଅତ୍ୟଧିକ ମାଲ୍‌ ନେଇ ଗାଡ଼ି ଚଲାନ୍ତୁ ନାହିଁ । ଭାରୀ ଓ ହାଲୁକା ଯାନ ଚଲେଇବା ବେଳେ ସିଟ୍‌ ବେଲ୍ଟ ବ୍ୟବହାର କରନ୍ତୁ । ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡି ଚଲାନ୍ତୁ ନାହିଁ । ଭୁଲ୍‌ ଜାଗାରେ ଗାଡି ପାର୍କିଙ୍ଗ୍‌ କରନ୍ତୁ ନାହିଁ । ସମସ୍ତ ଅଭିଭାବକ ମାନଙ୍କୁ ନିବେଦନ କରାଯାଉଛି ଯେ, ୧୮ ବର୍ଷରୁ କମ ବୟସର ପୁଅ ଓ ଝିଅ ମାନଙ୍କୁ ସ୍କୁଲ ଓ କଲେଜ ଯିବା ସମୟରେ ଗାଡି ଚଲେଇବା ପାଇଁ ଅନୁମତି ଦିଅନ୍ତୁ ନାହିଁ ନଚେତ୍‌ ଜୁଭେନାଇଲ୍‌ ନିୟମ ଅନୁଯାୟୀ ୨୫୦୦୦/- ଟଙ୍କା ଜୋରିମାନା ଓ ଗାଡି ଅଟକ ରଖିବା ସଙ୍ଗେ ଅଭିଭାବକ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ସବୁ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ନିବେଦନ କରାଯାଇଛି ।

jayashree
Leave A Reply

Your email address will not be published.