ସୋନଗଡ ନଦୀରେ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ମରୁଡି ପ୍ରପୀଡିତ ଦେଓଗାଁ ବ୍ଲକ ଓ ସଦର ବ୍ଲକର ୩୨୦୦ ଏକର ଜମିକୁ ଜଳସେଚିତ କରିବାକୁ ଥିବା ପ୍ରସ୍ତାବିତ ସୋନଗଡ ବ୍ୟାରେଜ କରାଇବାକୁ ଦାବୀ ହେଉଛି । ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଏହି ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ଏହି ଦାବୀ ଜଣାଇଛନ୍ତି । ସେ ଦାବୀ କରିଛନ୍ତି ଯେ, ଦେଓଗାଁ ବ୍ଲକ ଓ ସଦର ବ୍ଲକ ଦେଇ ସୋନଗଡ ନଦୀ ବହିଯାଇଛି । କିନ୍ତୁ ଏହାର ଜଳକୁ ସଠିକ ଉପଯୋଗ କରାଯାଇ ପାରୁନାହିଁ । ଏପଟେ ଏହି ସବୁ ଅଞ୍ଚଳରେ ପ୍ରାୟ ମରୁଡି ହୋଇ ଚାଷୀଙ୍କ ଅର୍ôଥକ ସ୍ଥିତି ଖରାପ ହେଉଛି । ସୋନଗଡ ନଦୀରେ ଅନ୍ତର୍ଲା ଓ ଭୁତିଆରବାହାଲ ମଝିରେ ଏକ ବ୍ୟାରେଜ ନିର୍ମାଣ କରି ଚାଷୀଙ୍କ ଜମିକୁ ଜଳସେଚିତ କରିବାକୁ ସର୍ଭେ ହୋଇସାରିଛି । କ୍ଷୁଦ୍ରଜଳସେଚନ ବିଭାଗ ଏହାର ଏକ ଡିଟେଲ୍‌ସ ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ସରକାରଙ୍କୁ ଦେଇସାରିଛନ୍ତି । ବୈଷୟିକ କମିଟି କ୍ଷେତ୍ର ପରିଦର୍ଶନ କରି ଗତ ୨୭.୮.୨୦୧୯ରେ ଅନୁଷ୍ଠିତ ୯୯ତମ ବୈଷୟିକ ପରାମର୍ଶଦାତା କମିଟି ବୈଠକ(ଟିଏସିି)ରେ ଅନୁମୋଦନ କରିଛି । ବଲାଙ୍ଗିର କ୍ଷୁଦ୍ରଜଳସେଚନ ଡିଭିଜନ ପକ୍ଷରୁ ତାଙ୍କ ପତ୍ରସଂଖ୍ୟା-୭୩୫ ତା.୨୮.୨.୨୦୨୦ରେ କେବିକେ ସର୍କଲ ଭବାନୀପାଟଣାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଡିପିଆର ପ୍ରଦାନ କରାଯାଇଛି । ସେହିପରି ଅଧିକ୍ଷଣ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୪୩୫ତା.୪.୩.୨୦୨୦ରେ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପଠାଇଛନ୍ତି । ସେହି ଡିପିଆରକୁ ମୁଖ୍ୟଯନ୍ତ୍ରୀ ଜଳସେଚନ ବିଭାଗର ଇନଞ୍ଜିନିୟରିଂ ଇନଚିଫଙ୍କୁ ପ୍ରଦାନ କରିସାରିଛନ୍ତି । ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, ସୋନଗଡର ଏହି ପ୍ରକଳ୍ପ ହେଲେ ସଦର ବ୍ଲକର ଭୁତିଆରବାହାଲ, ନାରାୟଣପୁର, ନୁନିଆଁଢିପା, କଠୁୁର୍ଲା ଓ ଦେଓଗାଁ ବ୍ଲକର ଅପାମରା, ସାରସମାଲ, ସିଲେଟକାନୀ, ବଡବନ୍ଧ, ସିକୁଆଁ, କୁତୁର୍ଲା, ପିପିଲପଦର, ଚୋରମରା, କନକପୁର, ଅର୍ଡା, ଗାଇବାହାଲ, ଜୁର୍ଲାକାନୀ, କଛାରପାଲି, ଦେଓଗାଁ, ହାତିସରା ଇତ୍ୟାଦି ଗ୍ରାମର ଚାଷଜମିକୁ ସିଧାସଳଖ ଜଳସେଚନ କରାଯାଇ ପାରିବ । ଏହା ସହିତ ପ୍ରକଳ୍ପର ଉପରମୁଣ୍ଡର ଅନ୍ତର୍ଲା, ଛତାପିପଲ, ସନ୍ଧିଜୋର, ଡଙ୍ଗରପଡା, ବନ୍ଧପଡା, ଟେପରେନ ଇତ୍ୟାଦି ଗ୍ରାମର ଚାଷୀମାନେ ଉଠା ଜଳ ସେଚନ ପଏଂଟ୍‌ ମାଧ୍ୟମରେ ତାଙ୍କର ଜମିକୁ ମଧ୍ୟ ଜଳସେଚିତ କରିପାରିବେ । ଗତ ୨୧.୧୦.୨୦୨୦ରେ ଏନେଇ ଦେଓଗାଁ ସମିତି ବୈଠକରେ ସର୍ବ ସମ୍ମତିରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ତେଣୁ ମୋଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ଅଞ୍ଚଳର ପ୍ରାୟ ୪୦୦୦ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଥିବା ପ୍ରକଲ୍ପକୁ ପ୍ରଧାନ୍ୟ ଦେଇ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ କରାଇବାକୁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିଠିର ଏକକିତା ଲେଖାଏଁ ନକଲ ଜଳସଂପଦ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ, ଜଳସଂପଦ ବିଭାଗର ଶାସନସଚିବ, ଇନଞ୍ଜିନିୟରିଂ ଇନଚିଫ, ଭବାନୀପାଟଣା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ପଠାଇଛନ୍ତି ।

Leave A Reply

Your email address will not be published.