jayashree

ଉଦ୍‌ଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩

  • ସରକାରଙ୍କ ପ୍ରତ୍ୟେକ ଯୋଜନାର ସୁଫଳ ଚାଷୀଙ୍କୁ ଉପଲବ୍ଧ କରାଇବାକୁ ଅଧିକାରୀଙ୍କୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ସୁବର୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱରା ଅନୁଷ୍ଠିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ଲୋକସଭା ସାଂସଦ ବଲାଙ୍ଗିର ଶ୍ରୀମତୀ ସଙ୍ଗୀତା ସିଂହଦେଓ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ବହୁବିଧ ଜନମଙ୍ଗଳ ଯୋଜନାର ସୂଚନା ଦେବା ସହ ଅଧିକାରୀମାନେ ପ୍ରତିଟି ଯୋଜନାର ସୁଫଳ ଯେପରି ଜିଲ୍ଲାର ଚାଷୀ ପାଇ ପାରିବେ ସେଥିପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଡ. ରତ୍ନାକର ରାଉତ, ସିଡିଭିଓ, ପ୍ରସନ୍ନ କୁମାର ପଟ୍ଟନାୟକ ଜିଲ୍ଲା ମତ୍ସ୍ୟ ଅଧିକାରୀ, କେଭିକେ କୃଷି ବୈଜ୍ଞାନିକ ତ୍ରିନାଥ ଖଣ୍ଡାୟତ ରାୟ ପ୍ରମୁଖ ଯୋଗଦାନ କରି ମତ୍ସ୍ୟ ପ୍ରାଣୀ ସମ୍ପଦର ଅଭିବୃଦ୍ଧିରେ ଜିଲ୍ଲାର ଚାଷୀଙ୍କ ସମୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି । ଚାଷୀ ସେମାନଙ୍କ ପାରମ୍ପରିକ ଚାଷ ବ୍ୟତିରକେ ଅଧିକ ଅର୍ଥ ଲାଭକାରୀ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷକୁ ଆପଣେଇବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ୩୦ ଗୋଟି ପ୍ରଦର୍ଶନୀ ମଣ୍ଡପ ଆୟୋଜିତ ହୋଇଥିବା ବେଳେ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ବିକାଶ ସମ୍ୱନ୍ଧୀୟ ବିଭିନ୍ନ ଜୀବନ୍ତ ନମୁନା ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶରେ ସଫଳ ଗୋପାଳନରେ ଧର୍ମେନ୍ଦ୍ର ମିଶ୍ର, ତରଭା ବ୍ଲକ, ବ୍ରଏଲର କୁକୁଡ଼ା ପାଳନ ନିମନ୍ତେ ମା’ ଭୈରବୀ ମହିଳା ମିଶନ ଶକ୍ତି, ଜଟେସିଂହା ବୀରମହାରାଜପୁର ବ୍ଲକ, ମତ୍ସ୍ୟ ପୋଖରୀ ଯୋଜନାରେ ସୋନପୁର ବ୍ଲକ ଧଉଁରାଖମନର ନିରୁପମା ମଲ୍ଲିକ ଓ ଡୁଙ୍ଗୁରିପାଲି ବ୍ଲକ ବୈରାଗୀମୁଣ୍ଡାର ଗତିକୃଷ୍ଣ କାଲସେ ତଥା ସୋନପୁର ବ୍ଲକ ତରେଇକେଲାର ରିଙ୍କି କୁଅଁରଙ୍କୁ ମେଣ୍ଢା ଓ ଛେଳି ପାଳନ ନିମନ୍ତେ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ମତ୍ସ୍ୟ ଓ ପ୍ରାଣୀ ପାଳନ ବିକାଶ ବିଭାଗର ବିଭିନ୍ନ ଯୋଜନା, ନୂତନ ଜ୍ଞାନ କୌଶଳର ବ୍ୟବହାରର ସଫଳ କାର୍ଯ୍ୟକାରିତା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଶେଷଜ୍ଞମାନେ ଉପସ୍ଥିତ ଚାଷୀଙ୍କୁ ଉପଯୋଗୀ ପରାମର୍ଶ ପ୍ରଦାନ କରିବା ସହିତ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରି ସନ୍ଦେହ ମୋଚନ କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଭାଗର ମମତା ପଣ୍ଡା ସଂଯୋଜନା କରିଥିବା ବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଡ଼ା. କମଳ ଲୋଚନ ଦାଶ, ଏଡିଭିଓ, ଡ଼ା ଦୁର୍ଗା ପ୍ରସାଦ ତ୍ରିପାଠୀ, ଏସ ଡି ଭି ଓ, ଡ଼ା ସେବାକର ସାମଲ, ଡେପୁଟି ଡିରେକ୍ଟର ହସ୍ପିଟାଲ, ଡ଼ା ସୁଧୀର କୁମାର ପଣ୍ଡା, ଏଡିଭିଓ, ପ୍ରାଣୀ ମଙ୍ଗଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପ୍ରାୟୋଜିତ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ବିଭିନ୍ନ ଲୋକ ଯୋଜନାର ସଚେତନତାଧର୍ମୀ ପାରମ୍ପରିକ ଲୋକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇ ଚାଷୀଙ୍କୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.