ବଲାଙ୍ଗିର, (କେପିଏନ୍ଏସ୍) : ପ୍ରେମରେ ପଡ଼ି ପ୍ରେମିକଙ୍କ ହାତ ଧରି ଚାଲି ଆସିଥିଲେ । ପରେ ଜାତିଭାଇଙ୍କ ଅନୁମତି କ୍ରମେ ସେମାନେ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ । କିନ୍ତୁ ମାତ୍ର ୩ ମାସ ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା । ଏଭଳି ଏକ ଅଭିଯୋଗ ନେଇ ଆଜି ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ଅଭିଯୋଗ ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଫଟ୍କରା ଗାଁର ଚନ୍ଦ୍ରିକା ନାଗ ଓ ମଲମୁଣ୍ଡାର ମନୋରଂଜନ ନାଗଙ୍କ ଭିତରେ ପ୍ରେମ ସଂପର୍କ ରହିଥିବା ବେଳେ ୫ ବର୍ଷ ତଳେ ପ୍ରେମିକଙ୍କ ହାତ ଧରି ପ୍ରେମିକା ଚନ୍ଦ୍ରିକା ଚାଲି ଆସିଥିଲେ ମଲମୁଣ୍ଡାକୁ । ପରେ ଦୁଇ ଗାଁର ଜାତିଭାଇଙ୍କ ଅନୁମତି କ୍ରମେ ଦୁହେଁ ସ୍ୱାମୀ ସ୍ତ୍ରୀ ଭାବରେ ରହି ଆସୁଛନ୍ତି । ଏବେ ଚନ୍ଦ୍ରିକା ନାଗ(୩୬) ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ କହିବା ଅନୁସାରେ ସେ ସ୍ୱାମୀଙ୍କ ହାତ ଧରିବାର ମାତ୍ର ୩ ମାସ ପରେ ପରେ ତାଙ୍କ ଉପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । ଏବେ ନିର୍ଯାତନା ଅସହ୍ୟ ହେବାରୁ ସେ ତାଙ୍କ ବାପା ମା’ଙ୍କ ସହ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଚନ୍ଦ୍ରିକା ଓ ମନୋରଂଜନଙ୍କ ଏକ ସାଢେ଼ ୪ ବର୍ଷର ଏକ ପୁତ୍ର ସନ୍ତାନ ରହିଛି । କୋହଭରା କଣ୍ଠରେ ଚନ୍ଦ୍ରିକା କହିଛନ୍ତି ଯେ, ଯୌତୁକ ସାମଗ୍ରୀ ସହ ଗାଡ଼ି ଆଣି ନଥିବାରୁ ତାଙ୍କୁ ତାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ନିର୍ଯାତନା ଦେଇ ଆସୁଛନ୍ତି । ତାଙ୍କ ସ୍ୱାମୀ ବାରମ୍ବାର ଗାଳିଗୁଲଜ ଦେବା ସହ ମାରପିଟ୍ ମଧ୍ୟ କରୁଛନ୍ତି । କେବଳ ଏତିକି ନୁହେଁ, ତାଙ୍କ ଶ୍ୱଶୁର ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡ଼ିତା ଚନ୍ଦ୍ରିକା ।