କଥା ରଖିଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ : ଗୋବର୍ଦ୍ଧନପୁର ଗ୍ରା.ପ.ରେ ଜଳସେଚନର ନୂଆ ସମ୍ଭାବନା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲାର ସବୁଠୁ ଅଧିକ ମରୁଡି ପ୍ରବଣ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ ବ୍ଲକର ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏବେ ଜଳସେଚନର ନୂଆ ସମ୍ଭାବନା ଦେଖାଦେଇଛି । ଏସବୁ ପାଇଁ ବର୍ତ୍ତମାନର ଲାଞ୍ଜିଗଡ ବିଧାୟକଙ୍କ ସାଧୁ ଉଦ୍ୟମ ଫଳବତୀ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଏଥିପାଇଁ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖବର ଅନୁଯାୟୀ, ଋତୁକାଳୀନ ବର୍ଷା ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଚାଷୀଙ୍କ ପାଇଁ ମରୁଡି ଚିର ସହଚର ପାଲଟିଥିବାବେଳେ ଦୀର୍ଘ ବର୍ଷ ହେଲା ସ୍ଥାୟୀ ଜଳସେଚନର ବ୍ୟବସ୍ଥା ପାଇଁ ଅଞ୍ଚଳବାସୀ ତଳୁ ଉପର ମହଲ ଯାଏଁ ଦୌଡି ଦୌଡି ନୟାନ୍ତ ହେଲେଣି । ବ୍ଲକର ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅଞ୍ଚଳର ନାକ ତଳେ ରେତ ଜଳସେଚନ ପ୍ରକଳ୍ପ ଥିବାବେଳେ ଏହି ପଞ୍ଚାୟତର ଅଧିକାଂଶ ଗାଁ ପାଇଁ ଏହି କେନାଲ ପାଣି ସାତ ସପନ ହୋଇ ରହିଛି । ସେହିପରି ନିକଟସ୍ଥ ସାନ୍ଦୁଲ ନଦୀରୁ ମେଗା ଉଠାଜଳସେଚନ ପାଇଁ ଦାବି ଉଠୁଥିବାବେଳେ ରେଳ ଲାଇନ୍ ଯୋଗୁଁ ଏହା ବି ସମ୍ଭବ ହେଲାନାହିଁ । ଏପରିସ୍ଥଳେ ଅଞ୍ଚଳବାସୀ ରେତ କର୍ତ୍ତୃପକ୍ଷ, ଉଠାଜଳସେଚନ ବିଭାଗଠାରୁ ଆରମ୍ଭ କରି ସମସ୍ତଙ୍କ ଦ୍ୱାର‌ସ୍ଥ ହୋଇ ନିରାଶ ହେବାପରେ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଅଞ୍ଚଳର ଚାଷୀ ସମୁହ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଅଞ୍ଚଳର ଦୁଃଖ ଜଣାଇଥିଲେ। ଏପରିକି ବିଧାୟକ ଶ୍ରୀ ଦିଶାରୀଙ୍କ ଉପସ୍ଥିତିରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓଙ୍କୁ ସାକ୍ଷାତ କରି ନିଜ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟାକୁ ହୃଦୟଙ୍ଗମ କରି ବିଧାୟକ ଶ୍ରୀ ଦିଶାରୀ ଏହି ଅଞ୍ଚଳ ଗସ୍ତ କରିବା ସହ ଅଞ୍ଚଳରେ ବିକଳ୍ପ ଜଳସେଚନ ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ତେବେ ବିଧାୟକ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବା ସହ ଅଞ୍ଚଳରେ ବିକଳ୍ପ ଜଳସେଚନର ବ୍ୟବସ୍ଥା ସ୍ୱରୂପ କ୍ଷୁଦ୍ର ଜଳସେଚନ ବିଭାଗ ସହିତ ଆଲୋଚନା କରିବା ସହ ଅଞ୍ଚଳରେ ଥିବା ଛୋଟବଡ ପୋଖରୀକୁ ଉନ୍ନତିକରଣ ସହିତ ଚାଷଜମିକୁ ପାଣି ଯୋଗାଇଦେବାକୁ ଅନୁରୋଧ କରିଥିଲେ। ବିଧାୟକଙ୍କ ପ୍ରସ୍ତାବ ପରେ ଏବେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କାର୍ୟ୍ୟ ଆରମ୍ଭ ହୋଇଛି। ବିଧାୟକଙ୍କ ନିର୍ଦ୍ଦେଶ ଅନ୍ୟୁାୟୀ, ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ଗୋପାଳପୁର ଗାଁର ବାମନଥୋପା, ରଜାମୁଣ୍ଡା, ମାଉଳୀବନ୍ଧ, ଲୁଥରେନ୍ ଯୋଜନା, ମଧୁପୁର ମେମ୍ବରପଡା ବନ୍ଧ, ପାଟଭାଲେର ଗାଁର କଦଳୀଝରନ୍ ଆଦି ପୋଖରୀର ପାରିପାର୍ଶ୍ବିକ ସ୍ଥିତି, ଆୟକଟ ଏରିଆ ସଂପର୍କରେ ସର୍ଭେ ଆରମ୍ଭ କରିଛନ୍ତି। କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ବଲ୍ଲଭ ବେହେରାଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଏଥିରେ ସାମିଲ ଥିବାବେଳେ ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ସଞ୍ଜୟ ପାଢୀ ପ୍ରମୁଖ ସେମାନଙ୍କୁ ସହଯୋଗ କରିଥିଲେ। ତେବେ ସର୍ଭେ ପରେ ଖୁବ୍ ଶୀଘ୍ର ଡିପିଆର୍ ଓ ଏଷ୍ଟିମେଟ୍ ପ୍ରସ୍ତୁତ କରାଯିବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଥିବାବେଳେ ପଞ୍ଚାୟତ ଅଧୀନରେ ଥିବା ଏହି ପୋଖରୀଗୁଡିକୁ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ମଧ୍ୟ ଶେଷ ହେବ ବୋଲି ଲାଞ୍ଜିଗଡ ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି। ଏପରି ହେଲେ ଅଞ୍ଚଳର ଗୋପାଳପୁର, ଭାଲୁଚଞ୍ଚରା, ପାଟଭାଲେର, ରାମଚନ୍ଦ୍ରପୁର, ମଧୁପୁର, ଟେକରତୋଳା ଆଦି ଗାଁର ପ୍ରାୟ ସାତଶହ ଏକର ଜମି ଜଳସେଚିତ ହୋଇପାରିବ ବୋଲି ଜଣାପଡିଛି। ଏପରି ସ୍ଥିତିରେ ବିଧାୟକ ଶ୍ରୀ ଦିଶାରି ତାଙ୍କ ପ୍ରତିଶ୍ରୁତି ପାଳନ କରିଥିବାବେଳେ ତାଙ୍କର ପରବର୍ତ୍ତି ପଦକ୍ଷେପ ଦ୍ୱାରା ଅଞ୍ଚଳର ତିନି ହଜାରରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବେ ବୋଲି ସୂଚନା ମିଲିଛି ।

Leave A Reply

Your email address will not be published.