ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଗଣତନ୍ତ୍ରର ମେରୁସ୍ତମ୍ଭ ହେଲେ ଭୋଟର୍ । ତେଣୁ ନୂତନ ଭୋଟର୍ ମାନଙ୍କୁ ଭୋଟର୍ ପଞ୍ଜିକରଣ ବାବଦରେ ସବିଶେଷ ସୂଚନା ଦେବା ପାଇଁ ପଦ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗଡିବା ଆରମ୍ଭ କରିଛି ଭୋଟର୍ ସଚେତନତା ରଥ । ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ଭୋଟର୍ ସଚେତନତା ରଥକୁ ପତାକା ଦେଖାଇ ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର, ପତି ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ବିନାୟକ ମିଶ୍ର, ଉପ ବିଭାଗୀୟ ଅଧିକାରୀ ସତ୍ୟବ୍ରତ ସାହୁ ଓ ଅନ୍ୟ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହି ଭୋଟର୍ ସଚେତନତା ରଥର ଅଭିନନ୍ଦନ କରିଥିଲେ । ଏହି ରଥ ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଭୋଟର୍ ସଚେତନତା ସୃଷ୍ଟି କରିବ। ନୂତନ ଭୋଟର୍ ମାନେ କେଉଁ ଭଳି ଭାବରେ ଫର୍ମ ୬ ମାଧ୍ୟମରେ ପଞ୍ଜିକରଣ କରିପାରିବେ ତାର ସବିଶେଷ ବିବରଣୀ ଭୋଟର୍ ସଚେତନତା ରଥ ପ୍ରଚାର କରିବ । ଅନଲାଇନ୍ ଓ ଅଫଲାଇନ ଉଭୟ ମାଧ୍ୟମରେ କିଭଳି ସେମାନେ ପଞ୍ଜିକରଣ କରିବେ ସେହି ସୂଚନା ମଧ୍ୟ ପାଇପାରିବେ । ୨୭ ଅକ୍ଟୋବରରୁ ଆରମ୍ଭ ହୋଇ ଆସନ୍ତା ୯ ଡିସେମ୍ବର ଯାଏଁ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ଅଧିକରୁ ଅଧିକ ସଂଖ୍ୟକ ଯୁବ ଭୋଟର୍ଙ୍କୁ ପଞ୍ଜିକରଣ କରିବାକୁ ଉତ୍ସାହିତ କରିବା ପାଇଁ ଭୋଟର୍ ସଚେତନତା ରଥ ପଦ୍ମପୁର ଉପଖଣ୍ଡରେ ବିଭନ୍ନ ଅଞ୍ଚଳରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ତାର ଯାତ୍ରା ଆରମ୍ଭ କରିଛି ।