- ଅଂଚଳର ପିଇବା ପାଣି ସହ ଗମନାଗମନ ଓ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ସମସ୍ୟା ସମାଧାନ କରାଯିବ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁତିଆରବାହାଲ ଅଂଚଳ ୧୦ ବର୍ଷ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜଳସେଚନ କ୍ଷେତ୍ରରେ ବହୁ ପଛରେ ଥିଲା । ପାନୀୟ ଜଳ ପାଇବା ପାଇଁ ଲୋକେ ଅନେକ ସଂଘର୍ଷ କରିବା ସହ ହନ୍ତସନ୍ତ ହେଉଥିଲେ । ବିଗତ ୯ ବର୍ଷ ଭିତରେ ଏ ଅଂଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଜଣସାଧାରଣଙ୍କ ସମସ୍ୟାର ସମାଧାନ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି । ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ବର୍ତ୍ତମାନ ଜିଲ୍ଲା ସଦର ମହକୁମାଠାରୁ ଭୁତିଆରବାହାଲ ପର୍ଯ୍ୟନ୍ତ ଉନ୍ନତମାନର ଗମନାଗମନ ବ୍ୟବସ୍ଥା ଏ ଅଂଚଳର ଅର୍ଥନୈତିକ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ । ଶିକ୍ଷା କ୍ଷେତ୍ରରେ ଅଂଚଳର ଉନ୍ନତି ପାଇଁ ଶିକ୍ଷାୟତନର ବିକାଶ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେପରି ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେ ଦିଗରେ ଅଂଚଳର ଜନ ପ୍ରତିନିଧି ତଥା ବିଧାୟକ ହିସାବରେ ସବୁବେଳେ ଧ୍ୟାନ ଦେଇ ଆସୁଛି ଏବଂ ଏହା ମଧ୍ୟ ପ୍ରତିଶୃତି ଦେଇଅଛି ଯେ, ଆଗାମୀ ନିର୍ବାଚନ ପୂର୍ବରୁ ତାହା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ହେଉ ଅବା କୃଷି ଉନ୍ନତି ପାଇଁ ଜଳସେଚନ ହେଉ ସେ ସବୁ ସମସ୍ୟା ନିଶ୍ଚିତ ଭାବରେ ସମାଧାନ କରାଯିବ । ଗତକାଲି ବଧାୟକ ଶ୍ରୀ ମିଶ୍ର ସଦର ବ୍ଲକ ଭୁତିଆରବାହାଲ ପଂଚାୟତ ଭୁତିଆରବାହାଲ ଗାଁରେ ପହଞ୍ଚିବା ପରେ ଅଂଚଳର ହଜାର ହଜାର ମହିଳା, ପୁରୁଷ, ଆବାଳବୃଦ୍ଧ ବନୀତା ଶ୍ରୀ ମିଶ୍ରଙ୍କୁ ଉଚ୍ଛର୍ଷିତ ସମ୍ବର୍ଦ୍ଧନା ଦେବା ସହ ବିରାଟ ପଟୁଆରରେ ସ୍ଥାନୀୟ ନଈକୂଳ ସ୍ଥିତ ପାନୀୟ ଜଳ ପ୍ରକଳ୍ପ ସ୍ଥଳକୁ ପାଛୋଟି ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ ସହ ଲୋକାର୍ପିତ କରିଥିଲେ । ଉଦ୍ଘାଟନ ପରବର୍ତ୍ତି ସଭାରେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟାମାନ ଅବଗତ କରାଇଥିଲେ । ପ୍ରତିଉତ୍ତରରେ ଶ୍ରୀ ମିଶ୍ର ଉକ୍ତ ସମସ୍ୟା ଗୁଡିକୁ ଖୁବ୍ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତାହା ସହ ସେ କହିଥିଲେ ଯେ ଆମ ଅଂଚଳର ଯେତେ ବିକାଶକୁ ବିରୋଧ କରୁଥିବା ବିକାଶ ବିରୋଧି ତତ୍ତ୍ୱ ଅଛନ୍ତି ଯେଉଁମାନେ କି ନିର୍ବାଚନ ପାଖକୁ ଆସିଲେ ଗାଁମାନଙ୍କୁ ଘନ ଘନ ଗସ୍ତ କରି ଲୋକଙ୍କୁ ମିଛ ପ୍ରତିଶୃତି ଦିଅନ୍ତି ଏବଂ ନିର୍ବାଚନ ସରିଗଲେ ନିର୍ବାଚନ ମଣ୍ଡଳୀରେ ତାଙ୍କ ଦେଖା ଦର୍ଶନ ମଧ୍ୟ ମିଳେ ନାହିଁ । ସେପରି ରାଜନେତାଙ୍କୁ ପ୍ରତ୍ୟାକ୍ଷାନ ପୂର୍ବକ ଉଚିତ ଜବାବ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ଯେଉଁଠି ରାଜ୍ୟ ସରକାର ମା’କୁ ସମ୍ମାନର ଡିମ୍ଡିମ୍ ପିଟୁଛି ସେଠି ସ୍ଥାନୀୟ ସରକାରୀ ଦଳର ନେତାମାନେ ନିଜ ପରିବାରର ମହିଳା (ବୋହୂ)ଙ୍କୁ ସମ୍ମାନ ଦେବା ବଦଳରେ ନିର୍ଯ୍ୟାତନା ଦିଅନ୍ତି ଏବଂ ପରିଶେଷରେ ନିର୍ଯାତିତ ମହିଳା ଜଣକ ଉକ୍ତ ଶାସନ ଦଳ ପରିବାର ବିରୋଧରେ ଆଇନର ଆଶ୍ରୟ ନିଅନ୍ତି । ସେ ପରିବାରକୁ ଆସନ୍ତା ନିର୍ବାଚନରେ ଉଚିତ୍ ଜବାବ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ନିଳମଣୀ ସେଠ, ସମିତିସଭ୍ୟ ଅଜିତ ସାହୁ, ପ୍ରମୋଦ ସାହୁ, ଉମାଶଙ୍କର ପଣ୍ଡା, ରାମଜୀ ଚୌଧୁରୀ, କାହ୍ନୁ ପ୍ରଧାନ, ଉଜଲ ସାହୁ, ସରୋଜ ରଥ, ଗଗନ ନାଥ, ଲିଙ୍ଗ ପୁଟେଲ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।