ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ଗାଜାର ଅଲ୍ ଅହଲି ହସ୍ପିଟାଲରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
● ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ବିପନ୍ନ ହୋଇଥିବା ସୁରକ୍ଷା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗଭୀର ଉଦବେଗ ପ୍ରକାଶ
● ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ସିଦ୍ଧାନ୍ତ ଆଧାରିତ ଆଭିମୁଖ୍ୟକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
● ରାଷ୍ଟ୍ରପତି ଆବ୍ବାସ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି
● ପାଲେଷ୍ଟାଇନ ବାସୀଙ୍କ ପାଇଁ ଭାରତ ମାନବିକ ସହାୟତା ପଠାଇବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀଙ୍କ ସୂଚନା

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହାମହିମ ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ।
ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଭାରତ ଏବଂ ଏହି ଅଞ୍ଚଳ ମଧ୍ୟରେ ପାରମ୍ପରିକ ଭାବେ ଘନିଷ୍ଠ ଏବଂ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ଖରାପ ହେଉଥିବା ନିରାପତ୍ତା ପରିସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।
ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଥିଲେ ।
ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ପରିସ୍ଥିତି ସମ୍ପର୍କରେ ନିଜର ଆକଳନ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଭାରତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ।
ପାଲେଷ୍ଟାଇନ ବାସୀଙ୍କ ପାଇଁ ଭାରତ ମାନବିକ ସହାୟତା ପଠାଇବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ଦୁଇ ନେତା ପରସ୍ପର ସହ ଯୋଗାଯୋଗ ଜାରି ରଖିବାକୁ ରାଜି ହୋଇଥିଲେ ।

Leave A Reply

Your email address will not be published.