csstore

ବଣୁଆ ହାତୀ ଉପଦ୍ରବ

ଦେଓଗାଁ, (କେପିଏନ୍‌ଏସ୍‌) : ବଣୁଆ ହାତୀ ୧୫ ଏକରରୁ ଅଧିକ ଧାନଚାଷ ମାଡ଼ି ଦଳି ନଷ୍ଟ କରିଦେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗାଁକୁ ଏକ ୧୨ ଟିକିଆ ହାତୀ ପଲ ଆସି ଶୁଭ୍ରାଂଶୁ ମଲ୍ଲିକ, ସୁଧାଂଶୁ ମଲ୍ଲିକ୍‌, ବାସୁଦେବ ବାରିକ, ଶ୍ୟାମ ଭାଟି, ଶ୍ରୀପତି ବାଗ, ଗରିବ ନାଗ, ଶଙ୍କର ସୁନା ଆଦି ଚାଷୀଙ୍କ ୧୫ ଏକରରୁ ଅଧିକ ଚାଷ ଜମି ମାଡ଼ି ଦଳି ଧ୍ୱଂସ କରିବା ସହ ତାଣ୍ଡବ ରଚିଛନ୍ତି । ସମ୍ପୃକ୍ତ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ଖବର ମିଳିଛି । ଧାର କରଜ କରି ଚାଷୀମାନେ ଧାନ ଚାଷ କରିଥିବା ବେଳେ ସେମାନଙ୍କ ଅମୂଲ୍ୟ ଚାଷକୁ ବଣୁଆ ହାତୀ ପଲ ଧ୍ୱଂସ କରି ଦେଇଥିବାରୁ ଚାଷୀମାନଙ୍କ ଅବସ୍ଥା ବେହୋଲ ହୋଇପଡିଛି । କିନ୍ତୁ ବନ ବିଭାଗ କର୍ମଚାରୀ ଏଯାଏଁ ଘଟଣା ସ୍ଥଳରେ ପହଞ୍ଚିନଥିବାରୁ ଚାଷୀମହଲରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଆପ୍‌ ନେତା ଆଶିଷ ପାଣ୍ଡେ ଚାଷୀମାନଙ୍କୁ ଭେଟିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ଚାଷୀମାନଙ୍କୁ କ୍ଷତି ପୂରଣ ଦିଆଯାଉ ବୋଲି ଫୋନ୍‌ ମାଧ୍ୟମରେ ଜଣାଇଛନ୍ତି । ଚାଷୀମାନଙ୍କ ଅପୂରଣୀୟ କ୍ଷତି ଘଟାଉଥିବା ହାତୀ ପଲକୁ ତୁରନ୍ତ ଘଉଡାଇବା ପାଇଁ ଯଥେଷ୍ଟ ଷ୍ଟାଫ୍‌ ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି । ତେବେ ଯଦି ଏହି ହାତୀ ପଲଙ୍କ ଦ୍ୱାରା ଧନ ଜୀବନ ନଷ୍ଟ ହୁଏ ଏଥିପାଇଁ ଜଙ୍ଗଲ ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀ ଏବଂ ଚାଷୀମାନେ ବନ ବିଭାଗକୁ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.