ନୀଳତୃଷ୍ଣାର ରାତି ‌: ଗୋଟେ ବିରହ ବ୍ୟଥାର ବିମୁଗ୍ଧ ସ୍ୱର

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରେମ ଈଶ୍ବର ପ୍ରଦତ୍ତ, ସମସ୍ତେ ପ୍ରେମ କରି ପାରନ୍ତି ନାହିଁ । ପ୍ରେମ ଯଦି ଶାଶ୍ଵତ ଆଉ ପବିତ୍ର ହୁଏ ତେବେ ଏହା କାଳ କାଳକୁ ଅମର ହୋଇ ରହିଯିବ । ଅତୀତରେ ପ୍ରେମ ଥିଲା, ବର୍ତ୍ତମାନ ଅଛି ଆଉ ଭବିଷ୍ୟତରେ ରହିବ । ମୃତ୍ୟୁର ଘେର ଭିତରେ ଥାଇ ବି ଜୀବନ ଏଠି କେତେ ଆପଣାର ଆଉ ଆହ୍ଲାଦକର କେବଳ ପ୍ରେମ ପାଇଁ । ଅନେକ ଜୀବନ ଯନ୍ତ୍ରଣାକୁ ଏକ ସୁନ୍ଦର ସ୍ବପ୍ନ ପ୍ରେମିକ ପ୍ରେମିକାମାନେ । କିନ୍ତୁ କବିତାରେ ପ୍ରେମ ସମ୍ପୂର୍ଣ୍ଣ ଉନ୍ମୁକ୍ତ ହେବା ଉଚିତ ନୁହେଁ । ତିନି ଭାଗ କଳ୍ପନା ସହିତ ଯଦି ଗୋଟେ ଭାଗ ବାସ୍ତବ କଥା ରହିବ ତେବେ ସେ କବିତା କାଳଜୟୀ ହୋଇ ପାରିବ ।ଏହା ଥିଲା ଛେଣ୍ଡସ୍ଥିତ ମଧୁସୂଦନରର ଧାମରା ସଂଘ ପରିସରରେ କବି ସୁଶାନ୍ତ କୁମାର ନାୟକଙ୍କ କବିତା ସଙ୍କଳନ ନୀଳତୃଷ୍ଣାର ରାତିର ଉନ୍ମୋଚନ ଏବଂ ବର୍ଷା କବିତା ଆସରରେ ମୁଖ୍ୟବକ୍ତା ତଥା ପୁସ୍ତକ ସମୀକ୍ଷିକା ଡ.ଗୀତାଞ୍ଜଳି ପତ୍ରୀଙ୍କ ଅଭିଭାଷଣ । କଥାକାର ଭୂପେନ ମହାପାତ୍ରଙ୍କ ସଭାପତିତ୍ବ ତଥା କବି ନିରୁପମା ପତିଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଡ.ସୁଚିତ୍ରା ମହାନ୍ତି ବର୍ଷାର ରୂପ ବର୍ଣ୍ଣନା କରିବାକୁ ଯାଇ କହିଲେ, ପ୍ରଚଣ୍ଡ ରୁଦ୍ର ତାପରେ ଡହକ ବିକଳ ହେଉଥିବା ଧରିତ୍ରୀ ରାଣୀର ଦେହ ଓ ମନରେ ଶୀତଳତା ଭରି ଦେଉଥିବା ବର୍ଷା ଏକ ମୋହିନୀ ଶବ୍ଦ । ବର୍ଷାଭିଜା ସବୁଜ ପୃଥିବୀର ସତେଜ ଅବୟବ ଯୁଗେ ଯୁଗେ କବି ପ୍ରାଣକୁ ଅଧିର କରିଛି, ସୃଜନ ମନସ୍କ ହେବାକୁ ବାଧ୍ୟ କରିଛି ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀବତ୍ସ କୁଅର ଧାମରା ସଂଘର ଆଭିମୁଖ୍ୟ ଓ ସ୍ବାଗତ ଭାଷଣ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ଭାଗବାନ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ରାଉରକେଲାର ସମସ୍ତ କବି କବୟିତ୍ରୀମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକଜୁଟ୍ ହେବାକୁ ଆହ୍ବାନ ଦେଇଥିଲେ । ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ରଶ୍ମି ବାଳା ରାଉତରାୟ ସମ୍ମାନୀତ ଅତିଥି ଓ କବି କନକଲତା ମିଶ୍ର, ନିବେଦିତା ନନ୍ଦଙ୍କ ସଂଯୋଜନାରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଥିଲା, ଏହି ଆସରରେ କବି ପ୍ରତାପ କୁମାର ପଣ୍ଡା, ତ୍ରିନାଥ ସିଂହ, ମିନକେତନ ପଶାୟତ, ପ୍ରକାଶ ସେଠୀ, ଉପେନ୍ଦ୍ର ବସ୍ତିଆ, ରଶ୍ମି ସାହୁ, ବସନ୍ତ ବିଶ୍ଵକର୍ମା, ନିରୁପମା ପତି, ଗୀତା ରାଣୀ ବେହେରା, ରୀନା ରାଣୀ ସ୍ବାଇଁ, ସୁଶ୍ରୀ ସଂଗୀତା ଦାସ, ସସ୍ମିତା ପ୍ରଧାନ, ନୃସିଂହ ବିଶ୍ବାଳ, ନିର୍ମଳା ମହାପାତ୍ର, ଶୁଭମ୍ ଭୋଇ, ଅରୁଣ ନାୟକ, ଗୁଣନିଧି ମହଲା, ବିକାଶ ରଞ୍ଜନ ବେହେରା, ଅଶୋକ ପଟ୍ଟନାୟକ ଆଦି ଚାଳିଶି ଜଣ କବି କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.କୃପାସିନ୍ଧୁ ନାୟକ, କାଶିନାଥ ନନ୍ଦୀ, ସଞ୍ଜିବ ଭୋଇ, ସୁମନ ଦତ୍ତ ରବିନ୍ଦ୍ର ବେହୁରିଆ, ବିଜୟ ବରାଳ ସମେତ ସହରର ବହୁ ବୁଦ୍ଧିଜୀବୀ ସାହିତ୍ୟ ପ୍ରେମୀ ଯୋଗଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ରଶ୍ମି ସାହୁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ସ୍ବର୍ଣ୍ଣ ଲତା ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!