ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛଚାଷରେ ଗୋଟିଏ ପୋଖରୀରୁ ବାର୍ଷିକ ଲକ୍ଷାଧିକ ଟଙ୍କାର ଆୟ ହେବା ଲକ୍ଷ୍ୟ ରଖାଯାଇଛି । ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତରେ ପ୍ରାୟତଃ ୫ ଶହ ଜଣ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି ବୋଲି ଆଇ.ଆର.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ ଯେ, ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ୭ଟି ଗ୍ରାମପଞ୍ଚାୟତରେ ଆଇ.ଆର.ଇ.ଏଲ୍.(ଇଣ୍ଡିଆ) ସୌଜନ୍ୟରେ ପୁଷ୍କରିଣୀମାନଙ୍କରେ ମାଛଚାଷ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା କାର୍ଯ୍ୟ ଶନିବାର ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଏ. ତୋଟା ପଲ୍ଲୀ ଏବଂ ଆଗ୍ରହାରମ ଗ୍ରାମରେ ଶେଷ ହୋଇଛି । ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀଙ୍କ ଉପସ୍ଥିତିରେ ଏହି ମାଛ-ଯାଆଁଳା ପୋଖରୀରେ ଛଡାଯାଇଛି । ଅଦ୍ୟାବଧି ପୋଡାପଦର, ଚମାଖଣ୍ଡି, କାଳୀପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଶ୍ରୀରାମଚନ୍ଦ୍ରପୁର, ଆର୍ଜିପଲ୍ଲୀ ପ୍ରମୁଖ ଗ୍ରାମପଞ୍ଚାୟତରେ ମାଛଚାଷ କାର୍ଯ୍ୟକାରୀ ହୋଇଛି । ଗ୍ରାମଗୁଡ଼ିକର ପ୍ରମୁଖ ପୋଖରୀ ନିମନ୍ତେ ଦିଆଯାଇଥିବା ୧୫ଶହ କିଲୋ ମାଛ-ଯାଆଁଳା ଛଡା ଯାଇଛି । ନିୟମିତ ପୋଖରୀରେ ମାଛଗୁଡିକ ଖାଇବା ପାଇଁ ୭ହଜାର କିଲୋ ମାଛଦାନା ମହିଳା ଏସ୍.ଏଚ୍.ଜି. ଗ୍ରୁପଙ୍କୁ ପ୍ରଦାନ କରାଯାଇଛି । କମ୍ପାନୀ ତରଫରୁ ଉପଯୁକ୍ତ ମାଛ ଚାଷ ଉପରେ ଜ୍ଞାନକୌଶଳ ସଂପର୍କିତ ମହିଳାମାନଙ୍କୁ ତାଲିମ ଦିଆଯାଇଛି । ଆଇ.ଆର.ଇ.ଏଲ୍. କର୍ତ୍ତୃପକ୍ଷ ସିଏସଆର-ରିସର୍ଚ୍ଚ ଡେପୁଟୀ ଜେନେରାଲ ମ୍ୟାନେଜର ନରେନ୍ଦ୍ର କୁମାର ନାୟକ, ମ୍ୟାନେଜର ଦୀପକ ମିଶ୍ର ଏହି କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ସୁରେସନ ବେହେରା ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ ଓ ପରିଚାଳନା କରିଛନ୍ତି ।
Prev Post