ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ସତ୍ୟ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ପାଳିତ

  • ତଥ୍ୟ ସହ ସତ୍ୟର ଉପସ୍ଥାପନା କରନ୍ତୁ ସାମ୍ବାଦିକ
  • ସମାଜର ଉନ୍ନତି ଓ ସଂସ୍କାରକୁ ଆୟୁଧ କରନ୍ତୁ ସାମ୍ବାଦିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକପ୍ରିୟ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟକାର ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ସମାରୋହ ବୁଧବାର ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଉଦ୍‌ଘାଟକ ଭାବେ ଯୋଗଦାନ କରି ସ୍ୱର୍ଗତ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଆୟୋଜିତ ଆଲୋଚନାଚକ୍ରର ବିଷୟବସ୍ତୁ ସାମ୍ପ୍ରତିକ ସମାଜରେ ଗଣମାଧ୍ୟମର ଭୂମିକା ଉପରେ ନିଜ ମତ ରଖି ଜିଳ୍ଳାପାଳ ଶ୍ରୀ ରାଣା କହିଲେ ଯେ, ଗଣମାଧ୍ୟମ ଖବର ପ୍ରକାଶନ ପୂର୍ବରୁ ଖବର କେତେ ପରିମାଣରେ ସମାଜର ହିତରେ ସକାରାତ୍ମକ ପ୍ରଭାବ ପକାଇବ ସେ ଦିଗରେ ବିଶେଷ ଦୃଷ୍ଟି ଦେବା ଉଚିତ୍ ବୋଲି କହିଥିଲେ । ସତ୍ୟ ନାରାୟଣ ବେହେରା ସ୍କୃତି କମିଟି ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗଣମାଧ୍ୟମ ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ । ମୁଖ୍ୟବକ୍ତା ଶିକ୍ଷାବିତ ତଥା ସ୍ତମ୍ଭକାର ଛାୟାକାନ୍ତ ଷଡ଼ଙ୍ଗୀ ସାମ୍ବାଦିକ ଓ ସାମ୍ବାଦିକତା ସମ୍ପର୍କିତ ବିଭିନ୍ନ ଉଦାହରଣ ଉପସ୍ଥାପନ କରିଥିଲେ । ବାସ୍ତବରେ ଗଣମାଧ୍ୟମ ସାମ୍ବାଦିକତା ସାମାନ୍ୟ ଲାଇନଚ୍ୟୂତ ହୋଇଥିବା ବେଳେ ଆଗକୁ ପୁଣି ଟ୍ରାକକୁ ଫେରିବ ବୋଲି ଆଶା ପ୍ରକାଶ କରିଥିଲେ । ସତ୍ୟ ଓ ତଥ୍ୟ ଉପରେ ଗଣମାଧ୍ୟମ ଖବର ପ୍ରକାଶ କରୁ ବୋଲି ପରାମର୍ଶ ଦେଇଥିଲେ । ଡା. ମଞ୍ଜୁବାଳା ପଣ୍ଡା ଗଣମାଧ୍ୟମ ଓ ସାମାଜିକ ଦୃଷ୍ଟି କୋଣ ଉପରେ ମତ ରଖିଥିଲେ ।ପୂର୍ବତନ ସାସଂଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ସ୍ବର୍ଗତ ବେହେରାଙ୍କ ବାଲୁକା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଅର୍ଘ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍କୃତି ଚାରଣ କରି ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ସହିତ ନିବିଡ ପାରିବାରିକ ସମ୍ପର୍କ ସହିତ ତାଙ୍କର ଆତ୍ମିୟତା ଓ ସାମ୍ବାଦିକ ଜୀବନର କିଛି ଅଭୁଲା ସ୍କୃତି ଉପସ୍ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ସାମ୍ପ୍ରତିକ ସମାଜରେ ଗଣମାଧ୍ୟମ କେଉଁ ସବୁ ଆହ୍ଵାନର ସମ୍ମୁଖୀନ ହେଉଛି ସେ ଦିଗରେ ତର୍ଜମା କରିଥିଲେ । ଏହା ସହିତ ସାମାଜିକ ସ୍ଥିତି ଓ ଦୃଷ୍ଟିକୋଣ ଉପରେ ମତ ରଖିଥିଲେ । ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ଅଖିଳ ଚନ୍ଦ୍ର ହୋତା ଖବରକୁ ଗୁଗୁଲ୍ କିପରି ଗ୍ରାସୁଛି ସେ ସମ୍ପର୍କରେ ମତ ରଖିଥିଲେ । ଖାଇଲେ ଋଣ ସୁଝିବାକୁ ପଡିବ । ତେଣୁ ସାମ୍ବାଦିକକୁ ବିଭିନ୍ନ ସୁବିଧା ସୁଯୋଗଦେଇ ଋଣୀ କରିଦିଆଯାଉଛି । ସାମ୍ବାଦିକତା ଏବେ ବାଟବଣା ହୋଇ ସାଧାରଣ ଲୋକଙ୍କଠାରୁ ଦୂରରେ । ସାମ୍ବାଦିକ ଏବେ ଆଉ ଜନପ୍ରତିନିଧି ନୁହଁ, ସେ ଏବେ ଯୋଜନାର ହିତାଧିକାରୀ । ଏଭଳି ସ୍ଥିତିରେ ଟେକ୍ନୋଲୋଜିର ବିକାଶ ଘଟି ଗୁଗୁଲ ଏବେ ବଡ ଆହ୍ବାନ ହୋଇ ଛିଡା ହୋଇଛି । ଡିଜିଟାଲ ବନ୍ଧନରେ ଆମେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଶ୍ରୀ ହୋତା କହିଥିଲେ । ଆୟୋଜିତ ସଭାକୁ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ପରିଚାଳନା କରିଥିଲେ । ସ୍କୃତି କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ନବୀନ ପଶାୟତଙ୍କୁ ସତ୍ୟ ନାରାୟଣ ବେହେରା ସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅତିଥିଙ୍କ ସମେତ ଆୟୋଜକ କମିଟି ସଭାପତି ଶ୍ରୀ ମିଶ୍ର, ସମ୍ପାଦକ ଶରତ କୁମାର ମହାକୁର ପ୍ରମୁଖ ସମ୍ମାନ ପ୍ରଦାନ କରିଥିଲେ । ମାନପତ୍ର ପଠନ କରିଥିଲେ ବରିଷ୍ଠ ସାମ୍ବାଦିକ ବିଶ୍ଵଜିତ୍ ଦାଶ । ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମ୍ବାଦିକ ଦୀପକ ପୁରୋହିତ । କାର୍ଯ୍ୟକ୍ରମରେ ବେଦପାଠ କରିଥିଲେ ଦୁଇ ଭ୍ରାତା ସାଇ ବିନାୟକ ଓ ସାଇ ଶ୍ରୀ ରାମ । ସହରର ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!