ଚନ୍ଦନଭାଟି ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସରସ୍ବତୀ ଶିଶୁ ମନ୍ଦିର ଚନ୍ଦନଭାଟିରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଶିଶୁଙ୍କୁ ଶ୍ରୀକୃଷ୍ଣଙ୍କ ନାମକୁ ସଦାସର୍ବଦା ଗାନ କରି ଜୀବନକୁ ସାର୍ଥକ କରିବାକୁ ନିଜ ବକ୍ତବ୍ୟ ମାଧ୍ୟମରେ ଆଶୀର୍ବଚନ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଚାର୍ଯ୍ୟ ଟିକେଶ୍ୱର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ପରେ ସମସ୍ତ ଶିଶୁ ଭାଇଭଉଣୀ ଓ ଗୁରୁଜୀ, ଗୁରୁମା ସଂକୀର୍ତ୍ତନ ସହିତ ଚନ୍ଦନଭାଟି ଗ୍ରାମ ପରିକ୍ରମା କରିଥିଲେ । ଆଚାର୍ଯ୍ୟ ଦୀଲିପ ଥନାପତି ସଂକୀର୍ତ୍ତନର ଗାୟକ ଭୂମିକା ନିର୍ବାହ କରିଥିଲେ । ନଗର ପରିକ୍ରମା ସମୟରେ ଚନ୍ଦନଭାଟି ଗ୍ରାମର ମାଆମାନେ ରଥାରୂଢ ଶ୍ରୀକୃଷ୍ଣଙ୍କର ବନ୍ଦାପନା କରିଥିଲେ । ଇତ୍ୟବସରରେ ଶିଶୁ ଭାଇଭଉଣୀଙ୍କ ଶ୍ରୀକୃଷ୍ଣ, ରାଧା, କଂସ, ଗୋପପୁରବାସୀ ବେଶ ଗ୍ରାମ ପରିକ୍ରମାର ମୁଖ୍ୟ ଆକର୍ଷଣ ଥିଲା । ପରିଶେଷରେ ସମସ୍ତ ଶିଶୁ ଭାଇଭଉଣୀ ପ୍ରସାଦ ସେବନ କରି ସ୍ବଗୃହ ପ୍ରତ୍ୟାବର୍ତ୍ତନ କଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକ, ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

Leave A Reply

Your email address will not be published.

error: Content is protected !!