ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ ତାଲିମ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଆଗାମୀ ବର୍ଷ ପାଇଁ ସେମାନଙ୍କ ସଫଳତା କାମନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅତିଥି ଭାବେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ବିନୋଦିନୀ ମେହେର, ନିର୍ଦ୍ଦେଶକ କନିୟର ଲାଲ ସାମଲ, ଚେୟରମ୍ୟାନ ହାଡୁ ପଧାନ, ପରିଚାଳନା ସଦସ୍ୟ ନନ୍ଦୀ କିଶୋର ସାମଲ ଯୋଗଦେଇ ସ୍ଵତନ୍ତ୍ର ତାଲିମ ମହାବିଦ୍ୟାଳୟର ସଫଳ କାର୍ଯ୍ୟକ୍ରମ ପାଇଁ ଛାତ୍ର ଛାତ୍ରୀମାନଙ୍କୁ ନିଜସ୍ଵ ପରିଶ୍ରମ ଉପରେ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ବୁଦ୍ଧଦେବ ସାମଲ, ବିଘ୍ନେ ରଣା, ଆଶୁତୋଷ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦ୍ଵିତୀୟ ବର୍ଷର ଛାତ୍ରୀ ତୃପ୍ତିରାଣୀ ପଣ୍ଡା, ପ୍ରତୀକ୍ଷା ଅଗସ୍ତି, ଅମ୍ରିତା ସାହୁ, ପ୍ରଜ୍ଞମୟୀ ମେହେର ସ୍ୱାଗତ ସଙ୍ଗୀତ ପରିବେଷଣ କରିବା ପରେ ନୂତନ ଛାତ୍ର, ଛାତ୍ରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦ୍ଵିତୀୟ ବର୍ଷର ଛାତ୍ରୀ ଲୋପାମୁଦ୍ରା ସାହୁ, ଜ୍ୟୋତିରାଣୀ ଭୋଇ, ନିହରିକା ବାଗ, ଝରଣା ସାହୁ, ରୋଜାଲିନ ତ୍ରିପାଠୀ, ପ୍ରଜ୍ଞାମୟୀ ମେହେର, ଅମ୍ରିତା ସାହୁ ଏବଂ ଛାତ୍ରମାନଙ୍କ ମଧ୍ୟରେ ଆୟୁଷ ଦାଶ, ସୁଦର୍ଶନ ପାତ୍ର, ଦୀପକ ପାଣିଗ୍ରାହୀ, ମନୀଷ ସାହୁ, ଶୁଭମ ନାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ସମାପ୍ତି ପରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ ତର୍ଜମା କରିବା ପରେ ଆଦର୍ଶ ପାଢ଼ୀଙ୍କୁ ମିଷ୍ଟର ଫ୍ରେସର୍ ଏବଂ ସେଲୋଜା ଭୋଇ ଓ ଶ୍ରଦ୍ଧାଞ୍ଜଳି ତରିଆଙ୍କୁ ଯୁଗ୍ମ ଭାବେ ମିସ୍ ଫ୍ରେସର୍ ପୁରସ୍କାର ଦିଆଯାଇଥିଲା ।