ଖୁଜେନପାଲିରେ ସରକାରୀ ଜମି କେଳେଙ୍କାରୀ ମାମଲା : ଧରାପଡିଲେ ୨୫ ଜମି ବ୍ୟବସାୟୀ, ସରକାରୀ ଖାତାକୁ ଫେରିବ ୬୫ ଏକର ଜମି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚଞ୍ଚକତା କରି ସରକାରୀ ଜମିହଡପ କରି ପରେ ତାକୁ ପ୍ଲଟିଂ କରି ବ୍ରିକ୍ରି କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବଲାଙ୍ଗିର ତହସିଲର ବଲାଙ୍ଗିର ସହରକୁ ଲାଗି ରହିଥିବା ଖୁଜେନପାଲି ମୌଜାର ଜମିର କାଗଜପତ୍ର ଖୋଳତାଡ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ରାଜ୍ୟସରକାରଙ୍କ ଉପରମହଲରୁ ନିର୍ଦ୍ଦେଶ ପରେ ବଲାଙ୍ଗିର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା ଏହାର ତଦନ୍ତ କରି କେବଳ ଖୁଜେନପାଲି ମୌଜାରେ ବେଆଇନ ଭାବରେ ଜାଲ କାଗଜପତ୍ର କରି ସରକାରୀ ଜମି ହଡପ କରି ଏହାକୁ କିଣାବିକା କରୁଥିବା ୨୫ଜଣ ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଛି । ଏଥିରେ ପ୍ରାୟ ୬୫ ଏକର ସରକାରୀ ଜମି(ପ୍ରାୟ ୧୦୦କୋଟି ଟଙ୍କାର) ପୁଣି ଥରେ ସରକାରୀ ଖାତାକୁ ଫେରିବ ବୋଲି ଏକ ବିଷେଶ ସୂତ୍ରରୁ ସୂଚନା ମିଳିଛିି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ବ୍ୟବସାୟୀଙ୍କ ମଧ୍ୟରେ ବଲାଙ୍ଗିର ସହରର କିଛି ବିଶିଷ୍ଟ ବ୍ୟକ୍ତି ତଥା ବ୍ୟବସାୟୀ ରହିଛନ୍ତି । ଏନେଇ ତହସିଲଦାର ଏହି ଜମିର କିଣାବିକାକୁ ବନ୍ଦ କରିବାକୁ ବଲାଙ୍ଗିର ଜିଲ୍ଲା ରେଜିଷ୍ଟାରଙ୍କୁ ଚିଠି କରିଥିବା ତଥା ସଦରଥାନାରେ ଏକ ଏତଲା ମଧ୍ୟ ଦେଇଥିବା ଜଣାପଡିଛି । ଫଳରେ ବଲାଙ୍ଗିରରେ ଜମି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଡ.ପୁଷ୍ପାଞ୍ଜଳି ପଣ୍ଡା ଆଗକୁ ଆଉ ଅନେକଗୁଡିଏ ସରକାରୀ ଜମିକୁ ମୁକ୍ତ କରିବାକୁ ପ୍ରଶାସନ ପଦକ୍ଷେପ ନେବ ବୋଲି କହିଛନ୍ତି ।

ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ବଲାଙ୍ଗିର ସହର ଉପକଣ୍ଠରେ ଥିବା ଖୁଜେନପାଲି ମୌଜାରେ ବିପୁଳ ପରିମାଣର ସରକାରୀ ଜବରଦଖଲ କରାଯାଇ ହଡପ କରାଯାଇଛି । ଏପରିକି କେତେକ ଶିଳ୍ପ ତଥା ବ୍ୟବସାୟିକ ଉଦ୍ଦେଶ୍ୟରେ ଲିଜରେ ଜମିକୁ ନେଇ ପରେ ଚଞ୍ଚକତା କରି ଉକ୍ତଜମିକୁ ରୟତି କିସମ କରି ତାକୁ ପ୍ଲଟିଂ କରି ବିକ୍ରି କରାଯାଇଛି । ବଲାଙ୍ଗିରରେ ଅନେକଗୁଡିଏ ଜମି ଜବରଦଖଲକାରୀ ଓ ଜମିମାଫିଆଙ୍କ କବଜାରେ ରହିଥିବାରୁ ସରକାରୀ ଅନୁଷ୍ଠାନ ପାଇଁ ଜମିର ଆବଶ୍ୟକତା ବେଳେ ମିଳୁନାହିଁ । ଯାହାକୁ ନେଇ ପ୍ରଶାସନ ହରଡଘଣାରେ ପଡୁଛି । ଗତ ୬ ମାସ ହେଲା ବଲାଙ୍ଗିର ତହସିଲ ପକ୍ଷରୁ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାକୁ ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା ଅଭିଯାନ ଆରମ୍ଭ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବ୍ୟବସାୟୀ ସରକାରୀ ଜମି ହଡପ କରିଥିବା ନେଇ ଏହି ଜମିର ଖରଦି ବିକ୍ରି ବନ୍ଦ କରିବାକୁ ବଲାଙ୍ଗିର ଜିଲ୍ଲା ରେଜିଷ୍ଟାରଙ୍କୁ ପତ୍ର ସଂଖ୍ୟା ୧୪୯୫ ତା.୪/୪/୨୦୨୩ରେ ଜଣାଇ ଦିଆଯାଇଛି । ସେହିପରି ଗତ ତା.୬/୪/୨୦୨୩ରେ ପ୍ରାୟ ୬୫ଏକର ଜମିକୁ ସରକାରୀ ଖାତାକୁ ଫେରାଇବାକୁ ତହସିଲଦାର ପଦକ୍ଷେପ ନେଇଛନ୍ତି । ଚିହ୍ନଟ ହୋଇଥିବା ଏହି ୨୫ଜଣଙ୍କ ମଧ୍ୟରେ ବଲାଙ୍ଗିରର ସନ୍ତକ ବହିଦାର, ଅଶୋକ ଅଗ୍ରୱାଲ, ତ୍ରିପୁରାରୀ ପାଣିଗ୍ରାହୀ, ସାଧିନା ବିବି, ତୁଳସା ନାଏକ, ପୁଷ୍ପାଞ୍ଜଳି ଶତପଥି, ସରସ୍ୱତୀ ସାହୁ, ସୁରେଖା ପାଢୀ, ରୋହିଣୀ ଆଚାର୍ଯ୍ୟ, ଓମ୍‌ପ୍ରକାଶ ଶର୍ମା, ବିଶ୍ୱରଂଜନ ମିଶ୍ର, ରଂଜିତ ସାହୁ, ଦେବଦତ୍ତ ସାହୁ, ଶ୍ରୀନେତ୍ର ସାହୁ, ବିଶ୍ୱଜିତ ସାହୁ, ସର୍ବଜିତ ସାହୁ, ଲଲିତା ହୋତା, ଭୂମିସୂତା ହୋତା, ଲକ୍ଷ୍ମଣଚନ୍ଦ୍ର ହୋତା, ବନବାସ ସାହୁ, ଜିନତ ବିବି, ତ୍ରିଲୋଚନ ଦାସ, ପ୍ରଶନ୍ନ ଦାସ ପ୍ରମୁଖ ରହିଛନ୍ତି ।

Leave A Reply

Your email address will not be published.