ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଉପରବାହାଲ ହାଇସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଉଳ ବିକ୍ରି କରି ଫାଇଭ-ଟି ସ୍କୁଲ ପାଇଁ ଇନଭର୍ଟର କିଣିଲେ ପ୍ରଧାନ ଶିକ୍ଷକ । ଝାଡୁଦାର ଥାଇ ମଧ୍ୟ ଛାତ୍ରୀମାନେ ସ୍କୁଲ ଗୃହ ସଫା କରୁଛନ୍ତି । ରାତ୍ର ଜଗୁଆଳି ପ୍ରତିଦିନ ସ୍କୁଲକୁ ଆସୁନାହାନ୍ତି । ଅନେକ ସମୟରେ ଶ୍ରେଣୀଗୃହ ଗୁଡିକର କବାଟ ଝରକା ଖୋଲା ରହିବା ସହିତ ବଲବ ଓ ପଙ୍ଖା ଚାଲୁ ରହୁଛି । ଅନ୍ୟଗ୍ରାମର ସ୍ୱୟଂ ସହାୟକା ଗୋଷ୍ଠୀଙ୍କୁ ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବା ସହିତ ସ୍କୁଲ ପରିଚାଲନା କମିଟି ସହିତ ସମନ୍ୱୟ ରକ୍ଷା କରି ଚଳିବା ପାଇଁ ପ୍ରଧାନ ଶିକ୍ଷକ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ଏଭଳି ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସ୍କୁଲରେ ବହୁବିଧ ଅବ୍ୟବସ୍ଥା ଦେଖାଦେଇଛି । ତେଣୁ ତାଙ୍କୁ ତୁରନ୍ତ ଏଠାରୁ ବଦଳି କରାଯିବା ସକାଶେ ପୂର୍ବରୁ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ କୌଣସି ସୁଫଳ ନ ମିଳିବାରୁ ଆଜି ଶତାଧିକ ପୁରୁଷ ଓ ମହିଳା ସ୍କୁଲ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀ ଆଜି ସ୍କୁଲରେ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ତାଙ୍କୁ ଏଠାରୁ ବଦଳି କରାନଗଲେ ସ୍କୁଲ ଗେଟରେ ତାଲା ପକାଇ ଦିଆଯିବ ବୋଲି ପରିଚାଳନା କମିଟି ଅଧ୍ୟକ୍ଷ ବଳିଆର ବିଶ୍ୱାଳ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!