ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ କରାଯାଉ : ଓଡିଶା ଅଭିଭାବକ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୭୭୭୨ରୁ ଉର୍ଦ୍ଧ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଆ ଯାଇଥିବା ନିଷ୍ପତିକୁ ତୁରନ୍ତ ମାନିନେବା ପାଇଁ ଓଡିଶା ଅଭିଭାବକ ମହାସଂଘ ସାରା ଓଡ଼ିଶାରେ ଦାବୀ କରିଛି । ଆଜି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହି ଦାବୀ ବଲାଙ୍ଗିରରେ ପୁଣି ଦୋହରେଇଛନ୍ତି । ସରକାର ଓ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏକ ରିପୋର୍ଟ ପ୍ରଦାନ କରନ୍ତୁ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ସର୍ବ ଦଳୀୟ ବୈଠକର ନିଷ୍ପତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିସ୍ପତିକୁ ସ୍ଥଗିତ ରଖାଯାଉ । ପ୍ରାୟ ୮୦୦୦-୧୦୦୦୦ ନକଲି ବା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦିଆଯାଇ ଗିରଫ କରାଗଲେ ଆଉ ନୂଆ ସ୍କୁଲ ବେଆଇନ ଭାବେ ଚାଲି ପାରିବ ନାହିଁ । ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟିକୁ ପୁନଃ ଗଠନ କରାଯାଇ ସାଂସଦ, ବିଧାୟକ, ପଂଚାୟତି ରାଜ ନିର୍ବାଚିତ ଜନ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଘମାନଙ୍କୁ ସାମିଲ୍‌ କରାଯାଉ । ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ, ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କାମ କରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ । ସ୍କୁଲ ବନ୍ଦର କାରଣ ଖୋଜିବା ସହ ଏକ ସମ୍ପୁର୍ଣ ରିପୋର୍ଟ ଜନସାଧାରଣଙ୍କୁ ଦିଆଯାଉ ।

ଉପରୁକ୍ତ ଚାରିଗୋଟି ପ୍ରସ୍ତାବ ଗ୍ରହଣ କଲେ ସବୁ ସ୍କୁଲକୁ ନ୍ୟାୟ ମିଳିପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ନଚେତ ଓଡିଶା ଅଭିଭାବକ ମହାସଂଘ ଓଡ଼ିଶାର ଶିକ୍ଷାର ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦିଙ୍କୁ ନେଇ ଏକ ବ୍ୟାପକ ମଂଚ, ଶିକ୍ଷା ବଞ୍ଚାଆ ଅଭିଯାନ ଆରମ୍ଭ କରି ରାଜ୍ୟ ସାରା ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକ ମଣ୍ଡଳୀ ମାନଙ୍କୁ ସ୍କୁଲ ବନ୍ଦ ପ୍ରତିବାଦରେ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବାକୁ ଅନୁରୋଧ କରାଯାଉଛି । ପ୍ରତି ଜିଲ୍ଲାରେ ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ମିଳନୀମାନ ସବୁ ରାଜନୈତିକ ଦଳ, ଶିକ୍ଷକ ସଂଘ ଓ ଗଣ ସଂଘଠନମାନଙ୍କୁ ନେଇ ଅନୁଷ୍ଠିତ ହେବ । ଆନ୍ଦୋଳନକୁ ବ୍ୟାପକ କରିବାକୁ ହେଲେ ମହାସଂଘ ଅନ୍ୟ ସଂଗଠନ ମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ଶ୍ରୀ ଭଟ୍ଟ ଓ ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ଆଜି ବଲାଙ୍ଗିର ଆସି ଅଭିଭାବକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ବନ୍ଦ ହେଉଥିବା କିଛି ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ସମୟରେ ଜିଲ୍ଲାରେ ଶ୍ରମିକମାନେ ଦାଦନ ଯାଉଥିବା ହେତୁ ବହୁ ପିଲା ସ୍କୁଲ ଯାଉ ନଥବା ଜଣାପଡିଛି ଓ ବହୁ ପିଲା ସେହି ଅଂଚଳରେ ଘର ଓ ଗୃହପାଳିତ ପଶୁଙ୍କୁ ଜଗାରଖା କରିଥିବାରୁ, ଅଭିଭାବକମାନେ ସେମାନଙ୍କୁ ଦାଇତ୍ୱ ଦେଇ କାମକୁ ଯିବା ଦ୍ୱାରା ପିଲାମାନେ ପାଠ ଛାଡ଼ୁଛନ୍ତି । ଜିଲ୍ଲା ଶିକ୍ଷା କ୍ଷେତ୍ରରେ ବହୁ ପଛୁଆ ଥିବା ସ୍ଥଳେ ଏହି ସ୍କୁଲ ଗୁଡିକ ବନ୍ଦ ହେଲେ ପିଲାମାନେ ଦୂର ସ୍କୁଲକୁ ନ ଯାଇ ପାଠ ପଢ଼ା ଛାଡ଼ିଦେବେ । ପୁଇଁ‌ନ୍ତଲା ବ୍ଲକ ଝାର୍‌ ବଲାଙ୍ଗିର ଓ ଭାଇିଁସାପାଲି ଓ ଆଗଲପୁର ବ୍ଲକରେ ଆମ୍ବଝରଣ, ବାଦୀପାଲି, ଯେମାପାଲି, ଖଲିଆପାଲି ସ୍କୁଲ ଅନୁଧ୍ୟାନ ବେଳେ ଜଣାପଡିଛି କି ସଠିକ ତଥ୍ୟ ଉପସ୍ଥାପନା ହୋଇନି, ଅଭିଭାବକ ଓ ଏସଏମସି ସହ ଆଲୋଚନା ହୋଇନି, ସ୍କୁଲ ଗୁଡିକ ହାତୀ ଚଲାପଥ ଅଂଚଳ, ଚାରିରୁ ପାଞ୍ଚ କିମି ଦୂର, ଆଦିବାସୀ ଓ ହରିଜନ ବହୁଳ, ବ୍ୟସ୍ତ ବହୁଳ ରାସ୍ତା ଅତିକ୍ରମଣ, ଜମି ଗହୀର ରାସ୍ତା, ଜଙ୍ଗଲ ଅଂଚଳ ଆଦି ଅନେକ ସମସ୍ୟା ସହ ସ୍କୁଲରେ ମିଶ୍ରଣକୁ ଗ୍ରାମବାସୀ ମାନେ ବିରୋଧ କରୁଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବା ବେଳେ ଜଣାପଡିଛି, ବିନା ଆଲୋଚନାରେ ସ୍କୁଲ ବନ୍ଦ ହେବା କଥା ସତ । ଅଧକ୍ଷ୍ୟ ଶ୍ରୀ ଭଟ୍ଟଙ୍କ ନେତୃତ୍ୱରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ପ୍ରଦାନ କରି ସର୍ବ ଦଳୀୟ ନିଷ୍ପତିକୁ ମାନି ନେବାକୁ ଅନୁରୋଧ କରିଥିଲେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କୁ ବେଆଇନି ବେସରକାରୀ ବିଦ୍ୟାଳୟକୁ ସରକାରଙ୍କ ଚିଠି ୧୭.୦୭.୨୦ ଅନୁସାରେ ବନ୍ଦ କରିବାକୁ ଦାବୀ କରିଥିଲେ । ତେଣୁ ପ୍ରଥମେ ବେଆଇନ ସ୍କୁଲ ବନ୍ଦ କରି ପରେ ସରକାରୀ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ପାଖରେ ଦାବୀ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ, ସରକାରୀ ନିର୍ଦେଶରେ କେବଳ ପିଲା ସଂଖ୍ୟା ଅନୁଯାଇ ସ୍କୁଲକୁ ବନ୍ଦ କରାଯାଇଥିବା ବେଳେ ଅନ୍ୟାନ୍ୟ କଥା ସରକାର ନିଷ୍ପତ୍ତି ନେବା ଆବଶ୍ୟକ । ଯଦି ଜିଲ୍ଲା ଶିକ୍ଷା ଅଧିକାରୀ ୧୭.୦୭.୨୦ ଚିଠିକୁ କାର୍ୟ୍ୟକାରୀ କାରି ସବୁ ବେନିୟମ ଭାବେ ଚାଲିଥିବା ବେସରକାରୀ ବିଦ୍ୟାଳୟକୁ ବନ୍ଦ କରିଦେବେ, ତାହେଲେ କିଛି ସରକାରୀ ବିଦ୍ୟାଳୟ ଚାଲି ପରିବ । ଗୁଣାତ୍ମକ ଶିକ୍ଷା ଅର୍ଥ ଏହି ଜିଲ୍ଲାରେ କିଛି ନାହିଁ ବୋଲି କୁହାଯାଇଛି । ଯଦି ଏବେ ସରକାରୀ ଶିକ୍ଷକ ପିଲାଙ୍କ ସହ ଦଶମ ପରୀକ୍ଷା ଦେବେ ତାହେଲେ ଅଧାରୁ ଅଧିକ ଫେଲ ହେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଭଟ୍ଟ ପ୍ରକାଶ କରିଛନ୍ତି । ଶିକ୍ଷକ ମାନଙ୍କୁ ବର୍ତମାନ ପ୍ରଯୁକ୍ତି ବିଦ୍ୟା ବିଷୟରେ ପ୍ରଶିକ୍ଷଣ ଦେବା ପାଇଁ ନବୀକରଣ କରିବାକୁ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ସେ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷଙ୍‌ଙ୍କ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ଜିଲ୍ଲା ଆବାହକ ଚକ୍ରପାଣି ମିଶ୍ର, ପ୍ରଦୁମ୍ନ ମିଶ୍ର, , ତ୍ରିଲୋଚନ ନନ୍ଦ, ସରପଞ୍ଚ ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.