ରାଜ୍ୟ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଗଞ୍ଜାମ ଗସ୍ତ ଓ କୃଷିଜାତ ପ୍ରକଳ୍ପର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ବୁଧବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରେ ହୋଇଥିବା ବିଭିନ୍ନ କୃଷିଜାତ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କରିଥିଲେ ଏବଂ ଫୁଲ, ଫଳ ଓ ପନିପରିବା ଚାଷ ବୁଲି ଦେଖି ତର୍ଜମା କରିଥିଲେ । ଖଲିକୋଟ ବ୍ଲକର ମାଣିକପୁରରେ ଥିବା ଜନସେବା କେନ୍ଦ୍ର ପରିଦର୍ଶନ କରି ସେଠାରେ ଚାଷୀଙ୍କ ଫସଲବୀମା, ପ୍ରଧାନମନ୍ତ୍ରୀ କିଷାନ, କାଳିଆ ଯୋଜନାରେ ଏବଂ ବିଭିନ୍ନ ଯୋଜନାରେ କିପରି ସାମିଲ କରାଯାଇପାରିବ, ଆଉ ବର୍ତ୍ତମାନ ସୁଦ୍ଧା କେତେ ହିତାଧିକାରୀ ସାମିଲ ହେଇପାରିଛନ୍ତି ତାହା ବୁଲି ଦେଖିଥିଲେ । ପରେ ବି.ଏନ୍‌.ପଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଫଳ ଚାଷ ଦେଖିଥିଲେ । ଜିଲ୍ଲାର ବେଗୁନିଆପଡା ଯାଇ ଆଖୁ ଚାଷ ଦେଖିବା ସହ ଆଖୁ ଚାଷୀଙ୍କ ସହ ଆଲୋଚନା କରିଥିଲେ । ପୁରୁଷୋତ୍ତମପୁର ବ୍ଲକର ଖୋସାଲପଲ୍ଲୀ ଯାଇ ସେଠାରେ ଧାନବୁଣା ଯନ୍ତ୍ର ଦ୍ୱାରା ଧାଡ଼ିରୁଆ (ଧାଡିରେ ବୁଣାଯାଇଥିବା ବୁଣା ଧାନ) ଦେଖିଥିଲେ । ଗଞ୍ଜାମ ବ୍ଲକର ପାଲୁରଗଡ଼ ଯାଇ ଅର୍ଚ୍ଚ୍ୟି ଫୁଲ ଚାଷ ଦେଖିବା ପରେ ଛତ୍ରପୁର ଆସି ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀଧନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. କୀର୍ତ୍ତିଭାସନ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ସାହୁଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.