ତୁରେକେଲା ଏଫ୍‌ପିଓର ଏମ୍‌ଡି ଦିଲ୍ଲୀ ସ୍ଵାଧୀନତା ଦିବସ ସମାରୋହକୁ ଆମନ୍ତ୍ରିତ

ତୁରେକେଲା, (କୈଳାସ ସଗ୍ରିଆ) : ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଗଠିତ ତୁରେକେଲା କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମେହେର ଚଳିତ ବର୍ଷ ଦିଲ୍ଲୀ ସ୍ଵତନ୍ତ୍ରତା ଦିବସ ସମାରୋହକୁ ନିମନ୍ତ୍ରିତ ହୋଇଛନ୍ତି । ୨୦୨୨ ଡିସେମ୍ବରରେ ଗଠିତ ତୁରେକେଲା କୃଷକ ଉତ୍ପାଦକ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୩୦୦ କୃଷକ ଅଂଶୀଦାର ସହିତ ସାତ ଲକ୍ଷ ଟଙ୍କା ଅଂଶଧନ ସଂଗ୍ରହ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୬୭ ଲକ୍ଷ ଟଙ୍କାର ବ୍ୟବସାୟ କରି ଏକ ଉଦାହରଣ ସୃଷ୍ଟି କରିପାରିଛି ଏହି କୃଷକ ଉତ୍ପାଦକ କମ୍ପାନୀ । ଚଳିତ ଆର୍ଥିକ ବର୍ଷରେ ଅତିକମରେ ଏକ ହଜାର କୃଷକଙ୍କୁ ଅଂଶୀଦାର ଭାବରେ ସାମିଲ କରି ଏଫ୍‌ପିଓର ବ୍ୟବସାୟ ଦୁଇ କୋଟି ଟଙ୍କାରେ ପହଞ୍ଚାଇବା ଲକ୍ଷ ରଖିଥିବା ଶ୍ରୀମତୀ ମେହେର ପ୍ରକାଶ କରିଛନ୍ତି । ଜଣେ କୃଷକ ଉତ୍ପାଦକ କମ୍ପାନୀର ଏମଡିଙ୍କୁ ଦିଲ୍ଲୀ ସ୍ଵାଧୀନତା ଦିବସ ସମାରୋହକୁ ଆମନ୍ତ୍ରିତ କରି ସରକାର କୃଷକମାନଙ୍କ ମନୋବଳ ବଢାଇବା ସହିତ ଏଫ୍‌ପିଓରେ କୃଷକମାନଙ୍କୁ ସାମିଲ ହେବା ପାଇଁ ପ୍ରେରଣା ଦେଉଛନ୍ତି ବୋଲି ସିବିବିଓ ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ପ୍ରକାଶ କରିଛନ୍ତି । ଶ୍ରୀମତୀ ମେହେରଙ୍କ ନିମନ୍ତ୍ରଣ ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ଜିଲ୍ଲା ଚାଷୀ ମହଲରେ ଖୁଶିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.