ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଗୋଏଲଭାଡ଼ି ଛକଠାରେ ଜୈନିକ ଯୁବକ କରଡ଼ି ଓ ଛତୁ ବିକ୍ରି କରୁଥିବା ସମୟରେ କେତେକ ଦୁର୍ବୃତ୍ତ ପହଂଚି ମୋବାଇଲରେ କଥା ହେବା ବାହାନା କରି ମୋବାଇଲ ଲୁଟ କରି ଚମ୍ପଟ ମାରିଥିବା ବେଳେ ପୋଲିସ ହାବୁଡ଼ରେ ଧରାପଡ଼ିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପଙ୍କଜ ସୁନା (୨୩) ଓ କ୍ଷମା ସୁନା (୨୬) ତାଙ୍କ ଘର ମୁରିବାହାଲ ଥାନା ଆନ୍ତଳା ଗ୍ରାମର ବୋଲି ଜଣାପଡିଛି । ପ୍ରକାଶ ଯେ, ଏହି ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ଛକଠାରେ ସୁରେନ୍ଦ୍ର ଖଟୁଆଙ୍କ ପୁଅ ରୋଶନ ଖଟୁଆ ଛତି ଓ କରଡ଼ି ବିକ୍ରି କରୁଥିଲେ । ପ୍ରାୟ ସାଢେ ୧୨ଟା ସମୟରେ ଟିଟିଲାଗଡ଼ ପଟୁ କିଛି ଅଜଣା ଦୁର୍ବୃତ୍ତ ୨ ଗୋଟି ବାଇକରେ ୫ ଜଣ ଆସି ଫୋନ ଟିକେ ଦିଅ କଥା ହେବି ବୋଲି ବାହାନା କରି ଲୁଟ କରି ଫେରାର ମାରିଥିଲେ । ଏହି ସମୟରେ ରୋଶନଙ୍କ ବାପା ଫପସି ଅଞ୍ଚଳର ନିଜ ସମ୍ପର୍କୀୟମାନଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ଉକ୍ତ ଦୁର୍ବୃତ୍ତମାନଙ୍କୁ ପିଛା କରି ଗଣ୍ଡପତ୍ରାପାଲି ଛକରେ ୩ ଜଣ ଯୁବକଙ୍କ ସହ ବାଇକକୁ ଧରିବାରେ ସଫଳ ହୋଇଥିଲେ । ଅନ୍ୟ ୨ ଜଣ ଫେରାର ମାରିଥିଲେ । ପରେ ଦୁର୍ବୃତ୍ତମାନଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଏକ ମାମଲା ରୁଜୁ କରି ମୋବାଇଲକୁ ଉଦ୍ଧାର କରିଥିବା ବେଳେ ଏକ ବାଇକକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛନ୍ତି ।