oom

‘ରଚନା’ର ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ଓ କବିତା ପୁସ୍ତକ ଉନ୍ମୋଚନ ସମାରୋହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ତରଫରୁ ସ୍ଥାନୀୟ ପତିତପାବନ ଏକାଡେମୀ ସଭାଗୃହରେ କବି, ଗାଳ୍ପିକ ଓ ଚିତ୍ରଶିଳ୍ପୀ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା ଓ କବିତା ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ କବି ରାମକୃଷ୍ଣ “ଜୀବନ : ପ୍ରେମର ପ୍ରତିଫଳନ” ଶୀର୍ଷକ ବିଷୟରେ ବକ୍ତୃତା ପ୍ରଦାନ କରି କହିଲେ – “ପ୍ରେମ ସାମୟିକ ସୁଖଲାଭ ପାଇଁ ବ୍ୟକ୍ତି ସହିତ ବ୍ୟକ୍ତିର କେବଳ ମାତ୍ର ସର୍ତ୍ତବଦ୍ଧ ସଂପର୍କ ନୁହେଁ କି କୌଣସି ଶାରୀରିକ ଓ ମାନସିକ କ୍ରିୟା ନୁହେଁ । ପ୍ରେମ ଜୀବନର ଏକ ବିମଳ ପରିପୂର୍ଣ୍ଣ ଅବସ୍ଥା ଯା’ର ଅଭିବ୍ୟକ୍ତିରେ କୌଣସି ସର୍ତ୍ତ ନ ଥାଏ ଓ ଏହି ଅବସ୍ଥାର କ୍ଷୟକ୍ଷତିରୁ ଓ ପ୍ରାକୃତିକ ନିୟମର ଅବମାନନାରୁ ଜନ୍ମ ନିଏ ଦୁଃଖ, ଯା’ର ପରିଣତି ବିନାଶ । ବର୍ତ୍ତମାନ ମଣିଷ ଯେଉଁ ଦୁଃଖ ଓ ବିନାଶ ଦେଇ ଗତି କରୁଛି ଏହି ପ୍ରେମର ଅଭାବ ହିଁ ତାର ମୂଳ କାରଣ ।
‘ରଚନା’ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ବିଶିଷ୍ଟ କବି ଡଃ ପ୍ରଦୀପ କୁମାର ପଣ୍ଡା ମଣିଷ ଜୀବନରେ କାବ୍ୟ କବିତାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ‘ରଚନା ପ୍ରକାଶନ’ର ସଦ୍ୟ ପ୍ରକାଶିତ କବି ରାମକୃଷ୍ଣଙ୍କ “ଢେଉରେ ଢେଉରେ ଘର” ଏବଂ କବି ପ୍ରଦୀପ କୁମାର ପଣ୍ଡାଙ୍କ “ମାର୍ଗ ସହଜ” କବିତା ସଙ୍କଳନର ଉନ୍ମୋଚନ ହୋଇଥିଲା । କବି ସସ୍ମିତା ନେପାକ ଓ ଅଧ୍ୟାପକ ଜିତେନ୍ଦ୍ରିୟ ତ୍ରିପାଠୀ ଗଗନ ସ୍ୱଇଁଙ୍କ କବିତା ଓ ଗଳ୍ପ ଏବଂ କବି ସବିତା ମହରା ଓ କବି ରତ୍ନମୟ ତ୍ରିପାଠୀ ଉନ୍ମୋଚିତ ପୁସ୍ତକରୁ କବିତା ପାଠ କରିଥିଲେ । ‘ରଚନା’ର ସମ୍ପାଦକ ଭାଗିରଥି ମିଶ୍ର ସଭାକାର୍ଯ୍ୟର ସଂଯୋଜନା ଏବଂ ବରିଷ୍ଠ ସଦସ୍ୟା କବି ବନ୍ଦନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବହୁ ସଂଖ୍ୟାରେ କବି, ଲେଖକ, ବୁଦ୍ଧିଜୀବୀ ଓ ସାହିତ୍ୟ-ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.