ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଦହିତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲିରୁ ଭାଲୁଡୁଙ୍ଗୁରି ୨ କି.ମି ରାସ୍ତା ଅବସ୍ଥା ଅତିଶୋଚନୀୟ ହୋଇପଡିଛି । ଛାତ୍ରଛାତ୍ରୀମାନେ ସ୍କୁଲ ଗଲା ବେଳେ ପଡି ଯାଉଛନ୍ତି । ଗାଁକୁ ଆମ୍ବୁଲାନ୍ସ ଗାଡି ଆସି ପାରୁନି ଏବଂ ଭାଲୁଡୁଙ୍ଗୁରି ଗାଁର ଗ୍ରାମବାସୀ ଦହିତା ପଂଚାୟତ, ବ୍ୟାଙ୍କ, ମେଡିକାଲ, ବଜାର ଯିବା ବେଳେ ବହୁତ ହଇରାଣ ହେଉଛନ୍ତି । ଗ୍ରାମବାସୀ ବହୁ ଥର ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି । ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ସରପଞ୍ଚ, ଜିଲ୍ଲାପରିଷଦ, ବିଧାୟକ, ବିଡ଼ିଓ ରାଜ ବୋଡାସମ୍ବର, ଉପଜିଲ୍ଲାପାଳ ପଦ୍ମପୁର, ଜିଲ୍ଲପାଳ ବରଗଡ, ଓଡିଶା ସରକାରଙ୍କ ୫ଟି ସଚିବଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ଗ୍ରାମବାସୀଙ୍କ ଦୁଃଖ କେହି ବୁଝିଲେନି । ଆଜି ବାଧ୍ୟ ହୋଇ ଭାଲୁଡୁଙ୍ଗୁରି ଗ୍ରାମର ଯୁବଗୋଷ୍ଠୀ ଗାଁରେ ଚାନ୍ଦା ଆଦାୟ କରି ନିଜେ ଶ୍ରମଦାନ କରି ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି । ରାସ୍ତା ଏତେ କଦର୍ଯ୍ୟ ହୋଇଛି ଯେ, ଲୋକମାନେ ରାସ୍ତାରେ ଧାନ ଗଛ ଲଗାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ପଦ୍ମପୁରରୁ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।