ବେନିୟମ ବାଣ ତିଆରି କାରଖାନରେ ଜିଲ୍ଲା ପୋଲିସର ଚଢାଉ : ଫ୍ୟାକ୍ଟ୍ରି ସିଲ୍‌

  • ଚାଇନା ଗୋଡି ଓ ରାସାୟନିକ ମିଶ୍ରଣରେ ହେଉଥିଲା ତିଆରି
  • ଫ୍ୟାକ୍ଟ୍ରି ମାଲିକଙ୍କ ସମେତ ୨ କର୍ମଚାରୀ ପୋଲିସ ଦ୍ୱାରା ଅଟକ
  • ଗୋଦାମ ଲାଇସେନ୍ସ ଥିବା ବେଳେ ବାଣ ତିଆରି ଲାଇସେନ୍ସ ନାହିଁ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଅଧିନସ୍ଥ ବୁରୋମାଲ ପଂଚାୟତ ଅଧିନସ୍ଥ ପଖନମୁଣ୍ଡା ଗାଁରେ ଶୁକ୍ରବାର ଦିନ ଜିଲ୍ଲା ପୋଲିସ ଦ୍ୱାରା ବେନିୟମ ବାଣ ତିଆରି କାରଖାନାରେ ଚଢାଉ କରାଯାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ବେନିୟମ ବାଣ ତିଆରିକୁ ନେଇ ବଲାଙ୍ଗିର ପୋଲିସ ଅଧିକ୍ଷକ ଋଷିକେଶ ଖିଲାରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତି କରି ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଧେଶରେ ଆଇ.ପି.ଏସ୍‌. ଟ୍ରେନିଙ୍ଗ ଅଫିସର କୁଲଦୀପ ମୀନାଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇଥିଲା । ଏହି ସ୍କ୍ୱାର୍ଡ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ଅଚାନକ ଭାବେ ଏହି ବେନିୟମ ବାଣ ତିଆରି କାରଖାନାରେ ଚଢାଉ କରିଥିଲେ । ଏଥିରେ ଫ୍ୟାକ୍ଟ୍ରି ମାଲିକ କିସନ ଲାଲ ଅଗ୍ରୱାଲ, କର୍ମଚାରୀ ବିଶାଲ ଗୋହିଲ, ଯଶୋବନ୍ତ କୁମ୍ଭାର ସଂପୃକ୍ତ ଥିବା ନେଇ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି । ଏହି ଫ୍ୟାକ୍ଟ୍ରିରେ ବହୁ ଦିନରୁ ବେନିୟମ ବାଣ ତିଆରି ହେଉଥିଲା । ଏହି ବାଣ ତିଆରି ପାଇଁ ଚାଇନା ଗୋଡି ଓ କିଛି ରାସାୟନିକ ପଦାର୍ଥ ମିଶାଇ ତିଆରି କରାଯାଉଥିଲା । ଏହି ବାଣ ଛୁଆଁଙ୍କ ପାଇଁ ରହିଥିବା ବେଳେ ଏହାକୁ ପପ୍‌କନ୍‌ କିମ୍ବା ସମ୍ବଲପୁରୀ ଭାଷାରେ ଲେସୁନ ବମ୍‌ ବୋଲି କୁହାଯାଏ । ଏହି ବାଣ ତିଆରି କାରଖାନାର କୌଣସି କାଗଜାଦ ସରକାରୀ ହିସାବରେ ନ ଥିବା ବେଳେ ଗୋଦାମରେ କଂପାନି ନିର୍ମିତ ସ୍ୱୀକୃତି ତିଆରି ବାଣ ମହଜୁଦ ରଖିବାର ଲାଇସେନ୍ସ ରହିଛି । ଏହି ବାଣ ଫ୍ୟାକ୍ଟ୍ରି ପାଇଁ ଅଗ୍ନିଶମ ବିଭାଗକୁ ସେପ୍ଟି ଲାଇସେନ୍ସ ତିଆରି କରିବା ପାଇଁ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ତାହା ନାହିଁ । ଯାହା ସ୍ୱତନ୍ତ୍ର ସ୍କ୍ୱାର୍ଡଙ୍କ ଜାଂଚ ବେଳେ ଜଣାପଡିଛି । ପରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିବା ସଙ୍ଗେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରା ମଧ୍ୟ ପହଂଚି ଥିଲେ । ଏମାନଙ୍କ ସମ୍ମୁଖରେ ଫ୍ୟାକ୍ଟ୍ରିକୁ ସିଲ କରାଯାଇଥିବା ବେଳେ ସ୍ଥାନୀୟ ପୋଲିସକୁ କେସ ହସ୍ତାନ୍ତର କରାଯାଇଛି । ଯାହାକି ସ୍ଥାନୀୟ ପୋଲିସ ଏକ କେସ ( ନଂ. ୨୦୩/୨୧/୭/୨୦୨୩) ରୁଜୁ କରି ପୋଲିସ ଦ୍ୱାରା ତଦନ୍ତ ଜାରି ରହିଛି । ବର୍ଷ ବର୍ଷ ଧରି ଏହି ବାଣ ତିଆରି କାର୍ଯ୍ୟ ଚାଲୁଥିବା ଏବେ ଲୋକ ଲୋଚନକୁ ଆସୁଥିବା ବେଳେ ପ୍ରଶାସନର କିପରି ଏଥିପ୍ରତି ନଜର ନ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଗୋଦାମ ସିଲ କଲା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । କାଳେ ଲାଖରେ ମହମବତୀ ଲଗାଇ ସିଲ କଲା ବେଳେ କୌଣସି ଅଘଟଣ ନ ଘଟେ ସେଥିପାଇଁ ଅଗ୍ନିଶମ ବିଭାଗକୁ ଆଗୁଆ ସୂଚନା ଦିଆଯାଇଥିଲା । ଆଜିର ଏହି ଚଢାଉରେ ସ୍ଥାନୀୟ ଏସ୍‌.ଡି.ପି.ଓ ଗୌରାଙ୍ଗ ଚରଣ ସାହୁ, ଥାନା ଅଧିକାରୀ ରଶ୍ମିତା ବେହେରା ଏବଂ ପୋଲିସ ଟିମ୍‌ ଉପସ୍ଥିତ ଥିଲେ ।

Leave A Reply

Your email address will not be published.