ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଏବଂ ସୁତାକଳ ପ୍ରତିଷ୍ଠା ନିମନ୍ତେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ
- ସରକାର ଦାବୀପତ୍ରକୁ ଅଗ୍ରାହ୍ୟ କଲେ ଆଗକୁ ହେବ ଆନ୍ଦୋଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଏକ କୃଷି ଭିତ୍ତିକ ଜିଲ୍ଲା ଏବଂ ଜିଲ୍ଲାର ଏକମାତ୍ର କୃଷି ଭିତ୍ତିକ ଶିଳ୍ପ ଦେଓଗାଁ ଚିନିକଳ ବନ୍ଦ ରହିଛି । ଚାଷୀ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ବାରମ୍ବାର ଆନ୍ଦୋଳନ ଏବଂ ଦାବୀ କରାଯାଇ ସରକାରଙ୍କୁ ଅବଗତ କଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଅପରପକ୍ଷରେ ବଲାଙ୍ଗିର ଜିଲ୍ଲାରେ ପ୍ରଚୁର ପରିମାଣରେ କପା ଚାଷ ହେଉଥିଲେ ମଧ୍ୟ ବିକ୍ରି କରିବାର ସୁବନ୍ଦୋବସ୍ତ ନାହିଁ । ଏଣୁ ଜିଲ୍ଲାରେ ଏକ ସୂତାକଳ ପ୍ରତିଷ୍ଠା ହେଲେ ଅଂଚଳର କପା ଚାଷୀମାନେ ମାତ୍ରାଧିକ ଲାଭ ପାଇବା ଆଶା ରହିଛି । ଏହି ଦୁଇ ପ୍ରସଙ୍ଗ ନେଇ ଓଡିଶା ବିଧାନସଭାରେ ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ର ବାରମ୍ବାର ସ୍ୱର ଉତ୍ତୋଳନ କଲେ ମଧ୍ୟ ସରକାରଙ୍କ ତରଫରୁ କିଛି ପ୍ରତିଶୃତି ମିଳିନାହିଁ । ଏଣୁ ଦେଓଗାଁ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ଏବଂ କପା ଚାଷୀମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ସୁତା କଳ ପ୍ରତିଷ୍ଠା ନିମନ୍ତେ ଘୋଷଣା କରନ୍ତୁ ନଚେତ ଆଗାମୀ ଦିନରେ କିଷାନ କଂଗ୍ରେସ ତରଫରୁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ର ଚେତାବନୀ ଦେଇଛନ୍ତି । ଉକ୍ତ ପ୍ରତିନିଧି ମଣ୍ଡଳୀ ରାଜ୍ୟ କିଷାନ କଂଗ୍ରେସ ସଂପାଦକ ସରୋଜ ରଥ, ସଦର ବ୍ଲକ କିଷାନ କଂଗ୍ରେସ ଅଧ୍ୟକ୍ଷ ଗଗନ ନାଥ, ବରିଷ୍ଠ କଂଗ୍ରେସ ନେତା କିଶୋର ସିଂନିନା, ଜୟ ସାହୁ, ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ଜୁଲୁ ପଟ୍ଟନାୟକ, ଜୟନାରାୟଣ ବହିଦାର, ଅଙ୍କିତ ସାହୁ, କୈଳାସ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନି ପ୍ରମୁଖ ସାମିଲ ଥିଲେ ।