csstore

ବର୍ଷା ଋତୁ କବିଙ୍କୁ କରେ ସୃଜନ ମନସ୍କ

ରାଉଳକେଲା, (ସସ୍ମିତା ପ୍ରଧାନ) : ବର୍ଷା ଏକ ମୋହିନୀ ଶବ୍ଦ, ଏକ ମିଠା ଅବବୋଧ, ପ୍ରକୃତିର ଏକ ମହାନ ଦାନ ସମଗ୍ର ଜୀବ ଜଗତ ପାଇଁ । ପ୍ରକୃତିର କବରୀରୁ ଟୋପା ଟୋପା ବର୍ଷା ବିନ୍ଦୁ ଝରି ପଡ଼ିଲେ କବିର ହୃଦୟ ତନ୍ତ୍ରୀ ହୁଏ ଝଙ୍କୃତ, ମନ ଅଗଣା ହୁଏ ତରଙ୍ଗାୟିତ । ବର୍ଷା ସ୍ୱୟଂ ଏକ କବିତା, ଏକ ଅନୁଭୁତି,ଏକ ଶିହରଣ ସେ କାଳିଦାସଙ୍କ ମେଘ ଦୂତମ ହେଉ ବା ରାଧାନାଥ ରାୟଙ୍କ ବର୍ଷା ସବୁ ଥିରେ ଏହାର ପ୍ରମାଣ ଅଛି । ବର୍ଷା ସମଗ୍ର ଜୀବଜଗତ ପାଇଁ ବଞ୍ଚିବାର ଯେତିକି ଆଶା ଉଦ୍ଦିପନା ଭରିଦିଏ କବିର ମାନସ ପଟରେ ସେତିକି ସୃଜନ ମନସ୍କକୁ ତିବ୍ର କରାଏ । ଏହା ଥିଲା ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟର ବର୍ଷା କବିତା ଆସର ଓ ତ୍ରୈମାସିକ ପତ୍ରିକା “ନାଗରା”ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ବକ୍ତା ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ବକ୍ତପ୍ୟ । ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ତଥା କଥାକାର ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ ଶିକ୍ଷୟିତ୍ରୀ ନିରୁପମା ପତିଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଇ.ଅଭୟ କୁମାର ଦାସ ଯୋଗଦେଇ ଆଧୁନିକ କବିତାରେ ବର୍ଷାର ବର୍ଣ୍ଣନା ଖୁବ୍ ଆକର୍ଷଣୀୟ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଡଲିରାଣି ବ୍ରହ୍ମାଙ୍କ ସଭାପତିତ୍ୱ ଓ ସୁଶ୍ରୀ ସଂଗୀତା ଦାସ ଓ ସୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଅଜୟ କୁମାର ମହାନ୍ତି ଓ ନିକୁଞ୍ଜ ବିହାରୀ ଦାଶ ଗଳ୍ପ ପାଠ କରିଥିଲାବେଳେ ପ୍ରତାପ କୁମାର ପଣ୍ଡା, ସାର୍ଥକ ସାହୁ, ସଞ୍ଜିବ କୁମାର ଭୋଇ, କାଶୀନାଥ ନନ୍ଦୀ, ବ୍ରଜେନ୍ଦ୍ର ଦାସ, ନିରୁପମା ପତି, ଅର୍ଚ୍ଚନା ପାତ୍ର, ଗୋଉତମ ଦାସ, ପ୍ରଫୁଲ୍ଲ ସାମଲ ବର୍ଷା ଶୀର୍ଷକରେ କବିତା ପାଠ କରିଥିଲେ । ବ୍ରଜ କିଶୋର ପାଣି, ବିଜୟ ବରାଳ, ସୂର୍ଯ୍ୟ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାମ୍ମୁଖ୍ୟର ଉପସଭାପତି ଚିତ୍ତରଞ୍ଜନ ବ୍ରହ୍ମା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

jayashree
Leave A Reply

Your email address will not be published.