ବିଜେପି ରାଜ୍ୟ ସଭାପତିଙ୍କ ପଦ୍ମପୁର ଗସ୍ତ : ପାଇକମାଲରେ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୮ ତାରିଖ ଦିନ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପଦ୍ମପୁର ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ପାଇକମାଲଠାରେ ଆଜି ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୮ ତାରିଖ ଦିନ ପଦ୍ମପୁର ଗୋରୁ ବଜାର ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ସଂଯୁକ୍ତ ମୋର୍ଚ୍ଚାର ସମାବେଶରେ ରାଜ୍ୟ ସଭାପତି ଶ୍ରୀ ସାମଲ ଯୋଗଦେବା ସହ ରାତ୍ରିରେ ନୃସିଂହନାଥଠାରେ ରହଣୀର କାର୍ଯ୍ୟକ୍ରମ ଅଛି । ୧୮ ତାରିଖ ସକାଳେ ନୃସିଂହନାଥ ମନ୍ଦିର ଦର୍ଶନ ପରେ ପାଇକମାଲ ଧର୍ମଶାଳାଠାରେ ଅଞ୍ଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ‘ଜଳଖିଆ’ରେ ଚର୍ଚ୍ଚାର କାର୍ଯ୍ୟକ୍ରମ ରଖାଯାଇଛି । ବିଜେପି ରାଜ୍ୟ ସଭାପତିଙ୍କ ଗସ୍ତ ଉପରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବୋଡାସମ୍ବର ଜମିଦାର ତଥା ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଝାରବନ୍ଧ ମଣ୍ତଳ ସଭାପତି ଚିନ୍ତାମଣି ରାଉତ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ଲଖମରା ମଣ୍ତଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ନିଲିମା ପଟେଲ, କୃଷକ ମୋର୍ଚ୍ଚାର କୋଡିନେଟର ଯୋଗେନ୍ଦ୍ର ଭୋଇ, ସତ୍ୟ ବେହେରା, ରାଜେନ୍ଦ୍ର ସେଠ, ଗଣେଶ ସାହୁ, ରୋଶନ ପାଣିଗ୍ରାହୀ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.