ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ନିକଟସ୍ଥ ଖୁଜେନପାଲି ପାଖରୁ ଜଣେ ଯୁବକଙ୍କ ମୃତଦେହ ଗତ ଜୁନ୍ ମାସ ୨୫ ତାରିଖରେ ମିଳିଥିଲା । ମୃତ ଯୁବକ ଜଣକ ଅଏଁଲାଚୁଆଁ ଗ୍ରାମର ରଜତ କୁମାର ପଧାନ(୨୩) ହୋଇଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଇ ଘଟଣାର ତଦନ୍ତ କରୁଛି ଜିଆରପି ପୋଲିସ । ହେଲେ ମୃତ ଯୁବକଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀମାନେ ଜିଆର୍ପି ସଠିକ୍ ଭାବରେ ତଦନ୍ତ କରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଜି ଏହି ଘଟଣାରେ ଅଏଁଲାଚୁଆଁରୁ ପାଖାପାଖି ଅଧ କିଲୋମିଟର ଦୂରରେ ଥିବା ଦାବକାନି ଗ୍ରାମର ଏକ କ୍ଷେତରୁ ମୃତ ରଜତଙ୍କ ସାର୍ଟ ମିଳିଛି । ଏହାହାକୁ ନେଇ ଗ୍ରାମାବାସୀ ଏକଜୁଟ ହୋଇ ଶତାଧିକ ମହିଳା ଓ ପୁରୁଷ ମୃତ ରଜତଙ୍କ ସାର୍ଟ ମିଳିଥିବା ଜାଗାରେ ଧାରଣା ଦେଇଥିବା ଜଣାପଡିଛି । ବଲାଙ୍ଗିର ଜିଆର୍ପି ପୋଲିସ ଘଟଣା ସ୍ଥଳରେ ପହଂଚିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ସଂଧ୍ୟା ୭ଟା ସମୟରେ ରଜତ ଘରୁ ବାହାରିଥିଲେ ଓ ଆଉ ଘରକୁ ଫେରି ନଥିଲେ । ରାତି ୮ଟା ପରେ ରଜତଙ୍କ ମୋବାଇଲ୍କୁ କଲ୍ ଯିବା ମଧ୍ୟ ଆଉ ସମ୍ଭବ ହୋଇ ନଥିଲା । ରାତି ଅଧରେ ରଜତଙ୍କୁ କିଛି ଲୋକେ ପିକ୍ଅପ୍ ଭ୍ୟାନ୍ରେ ଉଠାଇ ନେଉଥିବା ଗାଁର କିଛି ମହିଳା କହିଥିଲେ । ବଲାଙ୍ଗିର ସଦର ପୋଲିସର ସହାୟତାରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ରଜତଙ୍କୁ ଖୋଜିଥିଲେ ବି ତାଙ୍କର ପତ୍ତା ମିଳିନଥିଲା । ୨୫ ତାରିଖ ସକାଳୁ ରେଳ ଲାଇନ୍ ଉପରେ ରଜତଙ୍କ ମୃତଦେହ ପଡ଼ିଥିବା ଖବର ଦେଇଥିଲା ରେଲୱେ ପୁଲିସ । ତେବେ କେଉଁ କାରଣରୁ ରଜତଙ୍କୁ ପିକ୍ଅପ୍ ଭ୍ୟାନ୍ ସାହାଯ୍ୟରେ ଅପହରଣ କରାଯାଇଛି ? କେଉଁମାନେ ଅପହରଣ କରିଥିଲେ ? କାହିିଁକି ରଜତଙ୍କୁ ହତ୍ୟା କରାଯାଇଛି ? ଏଭଳି ଅନେକ ପ୍ରଶ୍ନ ଏବେ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ବେଳେ ରଜତଙ୍କ ମୃତ୍ୟୁର ୪ ଦିନ ପରେ ଗ୍ରାମବାସୀ ସଦର ଥାନା ଓ ଜିଆର୍ପି ଥାନାକୁ ଯାଇ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଦାବୀ କରିଥିଲେ । ତେବେ ଆଜି ନିକଟସ୍ଥ ଗାଁରୁ ରଜତଙ୍କ ସାର୍ଟ ମିଳିଥିବା ବେଳେ ଗ୍ରାମବାସୀମାନେ ଏକତ୍ରିତ ହୋଇ ରଜତ ହତ୍ୟାକାଣ୍ଡର ତଦନ୍ତ ଦାବୀ କରିଛନ୍ତି ।
Next Post