ମିଶନ ଶକ୍ତି ଗୃହ ଉଦ୍‌ଘାଟନ କଲେ ନରସିଂହ

  • ନାରୀ ଶକ୍ତିଶାଳି ହେଲେ ସମାଜର ସର୍ବାଙ୍ଗୀନ ବିକାଶ ହୋଇଥାଏ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିଶନ ଶକ୍ତି ଗୃହ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଦେଶ ସ୍ୱାଧୀନତା ପାଇବା ପରେ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ବାବା ସାହେବ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ତିଆରି କରିଥିଲେ । ସେତେବେଳେ ତିଆରି ହୋଇଥିବା ସମ୍ବିଧାନ ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ଅଧିକାର ପ୍ରଦାନ କରିଥିଲା । କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଆମେ ଦେଶରେ ନାରୀମାନଙ୍କୁ ସେ ଅଧିକାର ପ୍ରଦାନ କରିବାରେ ଅବହେଳା କରିଛୁ । ମନମୋହନଙ୍କ ସରକାର ଥିବା ବେଳେ ଲୋକସଭାରେ ୫୦ ପ୍ରତିଶତ ସିଟ୍‌ ମହିଳାମାନଙ୍କ ପାଇଁ ସଂରକ୍ଷଣ ପାଇଁ ବିଲରେ ବ୍ୟବସ୍ଥା କରାଯାଇଥିଲା । ନାରୀ ସଶକ୍ତି କରଣର ଡିମ୍‌ଡିମ୍‌ ପିଟୁଥିବା ସରକାରମାନେ କାହିଁକି ଆଜି ପର୍ଯ୍ୟନ୍ତ ଲୋକସଭା ହେଉ କି ବିଧାନସଭା ହେଉ ସେ ଅଧିକାର ନାରୀମାନଙ୍କୁ ଦେବାରେ ଅବହେଳା କରିଛନ୍ତି ବୋଲି ଆଜି ବଲାଙ୍ଗିର ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଗୃହ ଉଦ୍‌ଘାଟନ ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାରୀ ସଶକ୍ତି ଉପରେ ଜୋର ଦେଇ ବାହା ବାହା ସାଉଟିବା ପାଇଁ ଚେଷ୍ଟା କରୁଥିବା ଆମ ରାଜ୍ୟ ସରକାର ମଧ୍ୟ ଗତ ୨୩ ବର୍ଷ ମଧ୍ୟରେ କାହିଁକି ଜଣେ ନାରୀ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରଦାନ କରିପାରିନାହାନ୍ତି । ଏହି ଛଳରେ ସେ ତାଙ୍କ ଦଳ ଦେଶ ଓ ରାଜ୍ୟରେ ଜଣେ ନାରୀ ପ୍ରଧାନମନ୍ତ୍ରୀ ଓ ଜଣେ ନାରୀ ମୁଖ୍ୟମନ୍ତ୍ରୀ ପ୍ରଦାନ କରିସାରିଛି ବୋଲି କହିଥିଲେ । ନାରୀ ସଶକ୍ତିକରଣ ଉପରେ କହିବାକୁ ଯାଇ ଶ୍ରୀ ମିଶ୍ର ମିଶନ ଶକ୍ତି ପରି ଯୋଜନା ଯେଉଁଥିରେ କି ନାରୀଙ୍କୁ ସଶକ୍ତିକରଣ ପାଇଁ ଚେଷ୍ଟା କରାଯାଉଛି ସେପରି ଯୋଜନା ସାରା ଦେଶରେ ଅଛି । କୌଣସି ବି ସରକାର ନାରୀଙ୍କ ଅଧିକାରରୁ ତାଙ୍କୁ ବଂଚିତ କରିପାରିବ ନାହିଁ । ସରକାର ବଦଳିପାରେ କିନ୍ତୁ ଏହି ଯୋଜନା ଚିର ଦିନ ପାଇଁ ବଳବତ୍ତର ରହିବ ବୋଲି ସେ କହିଥିଲେ । କେବଳ ଆମେ ନାରୀମାନଙ୍କୁ ତାଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ବାବଦରେ ସଚେତନ କରିବାକୁ ହେବ । ତାଙ୍କ ପାଇଁ ଆସୁଥିବା ଅନୁଦାନ ଯେପରି ମା’ମାନେ ଠିକ୍‌ ହିସାବରେ ପରିଚାଳନା କରି ପର୍ଯ୍ୟାପ୍ତ ପରିମାଣରେ ଲାଭବାନ ହେବେ ସେ ଉପରେ ସବୁ ବର୍ଗ କାମ କରିବା ଉଚିତ୍‌ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ଉଦ୍‌ଘାଟନୀ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ଇପ୍‌ସିତା ପାତ୍ର ମିଶନ ଶକ୍ତିର ଉପଯୋଗତା ବାବଦରେ ସୂଚନା ଦେଇଥିଲେ । ସଂଯୋଜନା କରିଥିଲେ ମିଶନ ଶକ୍ତି ସଂଯୋଜକ ଚିନ୍ମୟ ତ୍ରିପାଠୀ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି କିଶୋର ସିଂ ନିନା, ସରୋଜ ରଥ, ବୁଲୁ ଦାନି, ଲୋପନ ମିଶ୍ର, ଜୟନାରାୟଣ ବହିଦାର, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ରଙ୍କ ସମେତ ଶତାଧିକ ମିଶନ ଶକ୍ତି ମା’ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!