ସରିଲା କାଦୋଯାତ୍ରା : ଆରମ୍ଭ ହେଲା ଚାଷ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଅନେକ ପର୍ବପର୍ବାଣୀ, ବିଶେଷ ଭାବରେ ଚାଷ ଓ ଚାଷୀଙ୍କ ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡିତ । ଠିକ୍‌ ଏହିପରି ଏକ ଚାଷ ଭିତ୍ତିକ ପର୍ବ ହେଉଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ପ୍ରସିଦ୍ଧ ଐତିହାସିକ ଗାଁ ଜରାସିଂହାର ବୁଢିଆଈ ଯାତ୍ରା ବା କାଦୋଯାତ୍ରା । ଆଷାଢ ପୂର୍ଣ୍ଣିମାର ତିନିଦିନ ଆଗରୁ ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ । ତେଣୁ ଗତ କିଛି ଦିନ ଆଗରୁ ଗୁରସ ରୁକା, ସେରନିବଟା ଏବଂ ଆଜି ଅନୁଷ୍ଠିତ ହୋଇଥିଲା କାଦୋଯାତ୍ରା । ଜରାସିଂହାର ବୁଢିଆଈ ମନ୍ଦିର ନିକଟରେ ଜମି ଥିଲା ଶହ ଶହ ଭକ୍ତଙ୍କ ଭିଡ । ପ୍ରାୟ ୬ଟି ଜିଲ୍ଲାରୁ ଆସିଥିଲେ ଭକ୍ତ । ବୁଢିଆଈ ଦେବୀ ବରୁଆ ଦେହରେ ସବାର ହେବା ପରେ ବାଟି ଖେଳିବା, ନଟୁ ଖେଳିବା, ଘୋଡାରେ ବସିବା ଭଳି ବିଭିନ୍ନ ପ୍ରକାର ଲୀଳା କରିଥାଆନ୍ତି । ତା’ପରେ ଚାଷୀମାନେ ଦେବୀଙ୍କଠାରୁ ଏ ବର୍ଷ ବର୍ଷା କେତେ ପରିମାଣରେ ହେବ, ଚାଷ କାମ ଠିକ୍‌ ହେବ ନା ନାହିଁ ପଚାରି ବୁଝନ୍ତି । ଏହା ସହିତ ଭଲ ଫସଲ ପାଇଁ ମା’ଙ୍କୁ ପୂଜାର୍ଚ୍ଚନା ସହିତ ଗୁହାରି କରନ୍ତି । କାଦୋଯାତ୍ରା ନସରିବା ପର୍ଯ୍ୟନ୍ତ ଚାଷ ଜମିରେ କାଦୋ କରିବା ବା ପହ୍ଲାରୁଆ କାମ ଆରମ୍ଭ ହୋଇନଥାଏ । ଏହି ବୁଢିଆଈ ଯାତ୍ରା ସରିବା ପରେ ପରେ ଦେଓଗାଁ ଅଂଚଳରେ ଆରମ୍ଭ ହୋଇଯାଇଛି ଚାଷ ଜମିକୁ କାଦୋ କରିବା ବା ଧାନ ରୁଆ କାମ ।

Leave A Reply

Your email address will not be published.