ଲୋୟର ସୁକ୍‌ତେଲ ପ୍ରକଳ୍ପ ଅଞ୍ଚଳରେ ପାଣି ଓ ବିଜୁଳି କାଟ୍‌କୁ ନେଇ ନରସିଂହଙ୍କ ପୁନଃ ପ୍ରେସ ବିବୃତ୍ତି

  • ଲୋକଙ୍କ ସମର୍ଥନ ସତ୍ୱେ ପ୍ରଶାସନ କରୁଛି ବାରମ୍ବାର ମାନବାଧିକାର ଉଲ୍ଲଂଘନ : ନରସିଂହ
  • ଅନୁରୋଧ ସତ୍ୱେ ବିସ୍ଥାପିତଙ୍କୁ ପୁନଃ ବିଜୁଳି ସଂଯୋଗ ନ କରିବା ପ୍ରଶାସନର ଅମାନବିକତା : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକ୍‌ତେଲ ପ୍ରକଳ୍ପ ଅଞ୍ଚଳରେ ପାଣି ଓ ବିଜୁଳି କାଟ୍‌କୁ ନେଇ ବିଧାୟକ ନରସିଂହ ମିଶ୍ର ପୁନଃ ପ୍ରେସ ବିବୃତ୍ତି କରିଛନ୍ତି । ସେ କହିଛନ୍ତି ଯେ, ଲୋୟର ସୁକ୍‌ତେଲ ବୁଡି ଅଂଚଳରେ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ପାନୀୟ ଜଳ ଓ ବିଜୁଳି କାଟ୍‌ ଯୋଗୁଁ ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ଲୋକେ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ପୂର୍ବରୁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅନୁରୋଧ କରିଥଲି । ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ମାନବାଧିକାର ଉଲ୍ଲଂଘନ ନ କରିବାକୁ ପ୍ରଶାସନକୁ କହିବା ସହ ତୁରନ୍ତ ବିଜୁଳି ଓ ପାଣି ସୁବିଧା ପୁନଃ କାର୍ଯ୍ୟକାରୀ କରିବାକୁ କହିଥିଲି । ଖୁଣ୍ଟପାଲି ଅଞ୍ଚଳରେ ଯଦିଓ ପାଣି ଓ ବିଜୁଳିକୁ ପ୍ରଶାସନ ପୁନଃ ସଂଯୋଗ କରିଛି କିନ୍ତୁ ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ କରାଯାଇନାହିଁ । ଏ ଅଞ୍ଚଳର ସମସ୍ତ ଲୋକେ ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ବିସ୍ଥାପିତ ହେବାକୁ ରାଜି ହୋଇଛନ୍ତି । ତଥାପି ପ୍ରଶାସନ କାହିଁକି ସେମାନଙ୍କୁ ବିଜୁଳି ଓ ପାଣି ଭଳି ମୌଳିକ ସୁବିଧାରୁ ବଞ୍ôଚତ କରୁଛି ବୋଲି ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିବା ସହ ପୁଣି ଥରେ ପ୍ରେସ୍‌ ବିବୃତି ମାଧ୍ୟମରେ ଏହା ଜିଲ୍ଲା ପ୍ରଶାସନର କ୍ରମାଗତ ମାନବ ଅଧିକାର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି । ପ୍ରେସ୍‌ ବିବୃତି ମାଧ୍ୟମରେ ବିଧାୟକ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଏହି ପ୍ରକଳ୍ପର ବିସ୍ଥାପନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିସ୍ଥାପିତଙ୍କୁ ବିଜୁଳି ଓ ପାନୀୟ ଜଳରୁ ବଞ୍ଚିତ କରାନଯାଉ । ସେମାନେ ଯେମିତି ସମ୍ମାନର ସହ ବିସ୍ଥାପିତ ହେବେ ପ୍ରଶାସନ ସେ ବ୍ୟବସ୍ଥା ଗ୍ରହଣ କରୁ । ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲି ଅଞ୍ଚଳର ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ଦୁଇଦିନ ପୂର୍ବରୁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଯଦିଓ ଖୁଣ୍ଟପାଲି ଅଞ୍ଚଳରେ ପାଣି ଓ ବିଜୁଳିକୁ ପୁନଃ ସଂଯୋଗ କରାଯାଇଛି । ତଥାପି ଗଡଶଙ୍କର ଡୁଙ୍ଗୁରିପାଲି ଅଞ୍ଚଳରେ ଏପର୍ଯ୍ୟନ୍ତ ବିଜୁଳି ପୁନଃ ସଂଯୋଗ କରାଯାଇନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଭଳି ଅବସ୍ଥା ଜାରି ରହିଲେ ଆଗକୁ ଆନ୍ଦୋଳନ ଆଶଙ୍କା ବୃଦ୍ଧି ପାଇବା ସହ ପ୍ରକଳ୍ପ ନିର୍ମାଣ ଓ ବିସ୍ଥାପନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ଓ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ଏହା ବିଳମ୍ବର କାରଣ ହୋଇପାରେ ବୋଲି ବିଧାୟକ ଶ୍ରୀ ମିଶ୍ର ଆଶଙ୍କା ବ୍ୟକ୍ତ କରିଛନ୍ତି । ଆଜି ପୁଣି ଥରେ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଉଦାର ମନୋଭାବ ପୋଷଣ କରୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.