ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରଠାରୁ ପାଞ୍ଚ କିଲୋମିଟର ଦୂରରେ ରହିଛି ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀ । ଏହି କମ୍ପାନୀରେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳର ଅନେକ ଲୋକ ଚାକିରି କରି ନିଜର ପେଟ ପାଟଣା ଚଳାନ୍ତି । ଦିନକୁ ଦିନ ଏଠାରେ ଖାସ୍ କରି ଠିକା କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଧୀରେ ଧୀରେ ଅଶାନ୍ତି ଦାନା ବାନ୍ଧିବାରେ ଲାଗିଛି ।
ସୋମବାର ଦିନ ଠିକା ଶ୍ରମିକମାନେ ସ୍ଥାନୀୟ ନେତୃବୃନ୍ଦଙ୍କୁ ଡାକି ସେମାନଙ୍କୁ କିପରି ଶୋଷଣ କରାଯାଉଛି, ସେ ବିଷୟରେ ଅବଗତ କରାଇଥିଲେ । ସେହି ସମସ୍ୟା ବିଷୟରେ ଶୁଣିବା ପରେ ଶ୍ରମିକମାନଙ୍କ ସହ ସିହିନି ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି, ଜଗୁଆର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଲଳିତ ସାହୁ, ଚାଷୀ ତଥା ଯାଦବ ନେତା ବାଳକୃଷ୍ଣ ଷାଣ୍ଢ ଯାଇ ଗ୍ରାଫାଇଟ୍ ଇଣ୍ଡିଆ ଲିମିଟେଡ୍ର ଜେନେରାଲ ମ୍ୟାନେଜର ପି.କେ.ସ୍ୱାଇଁଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ୨୦୧୭ରୁ କୌଣସି ଠିକା କର୍ମଚାରୀଙ୍କୁ(କୁଶଳୀ ଶ୍ରମିକ)ଙ୍କୁ ଗ୍ରେଡେସନ କିମ୍ବା ପ୍ରମୋସନ ଦିଆନଯିବା, ୨୦୧୪ରେ ଶ୍ରମିକଙ୍କ ପେ’ ରିଭାଇଜଡ ହେଲା ପରେ ବି ରେଗୁଲାର ଶ୍ରମିକଙ୍କ ମଜୁରୀ ବଢିଥିବା ବେଳେ ଏମାନଙ୍କର ବଢ଼ି ନଥିବା, ଉତ୍ପାଦିତ ଲାଭାଂଶରୁ ବୋନସ ନ ଦେବା, ସପ୍ଲାଏ ଶ୍ରମିକଙ୍କୁ ଓଭର୍ ଟାଇମ୍ କଲେ ବି କେବଳ ମଜୁରି ପ୍ରଦାନ କରାଯାଉଥିବା, ଓଭର୍ ଟାଇମ୍ କରୁଥିବା କର୍ମଚାରୀଙ୍କୁ ଖାଦ୍ୟ ଆଲାଉନ୍ସ୍ ବାବଦକୁ କେବଳ ୨୨ଟଙ୍କା ପ୍ରଦାନ କରାଯାଉଥିବା, ସାପ୍ତାହିକ ଛୁଟି ବ୍ୟବସ୍ଥା ଥିବା ବେଳେ ଠିକା ଶ୍ରମିକ ଏହାର ଲାଭ ପାଇ ପାରୁନଥିବେ ଆଦି ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । ସମାନ କାମକୁ ସମାନ ଦରମା ତଥା କମ୍ପାନୀ ନିୟମ ମୁତାବକ ସେମାନଙ୍କୁ ସବୁ ସୁବିଧା ପ୍ରଦାନ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ନେତୃବୃନ୍ଦ । ଯଦି କମ୍ପାନୀ କର୍ତୃପକ୍ଷ ଏହା ଦେବାରେ ଅବହେଳା କରନ୍ତି, ତା’ହେଲେ ଆଗାମୀ ଦିନରେ ବିରାଟ ଶ୍ରମିକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ।