ପର୍ଯ୍ୟଟନ ବିଭାଗ ଦେଇଛି ୫୦ଲକ୍ଷ : ବଡପ୍ୟାକେଜ ଅପେକ୍ଷାରେ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ସନ୍ଥକବି ଭୀମଭୋଇ ହେଉଛନ୍ତି ମହିମାଧର୍ମର ଶ୍ରେଷ୍ଠ ପ୍ରଚାରକ । ତାଙ୍କ ପାଇଁ ମହିମାଧର୍ମ ବହୁମାତ୍ରାରେ ପ୍ରଚାର ଓ ପ୍ରସାର ଲାଭ କରିଥିଲା । ସୋନପୁର ଜିଲ୍ଲାର ଖଳିଆପାଲି ହେଉଛି ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସାମାଧି କ୍ଷେତ୍ର । ଜଣେ ମାନବବାଦୀ କବି ତଥା ସନ୍ଥଭାବରେ ସାରା ବିଶ୍ୱରେ ସେ ବିଖ୍ୟାତ । ଏବେ ସରକାର ମହିମାଧର୍ମପୀଠମାନଙ୍କର ବିକାଶ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଦେଉଛନ୍ତି । ତେଣୁ ସୁବର୍ଣ୍ଣପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବଙ୍କ ଗସ୍ତ ସମୟରେ ଏହି ପୀଠର ବିକାଶ ପାଇଁ ମଧ୍ୟ ଏକ ବଡପ୍ୟାକେଜ ଦିଆଯିବାକୁ ଜନସାଧାରଣରେ ଦାବୀ ହେଉଛି । ଗତ ଦୁଇମାସ ତଳେ ରାଜ୍ୟପର୍ଯ୍ୟଟନ ବିଭାଗ ତରଭା ନିକଟସ୍ଥ ଚୁଡାଖାଇପାହାଡର ବିକାଶ ପାଇଁ ୧କୋଟି ଟଙ୍କା, ରାମପୁର ନିକଟସ୍ଥ ପୂଜାଡୁଙ୍ଗୁରୀ ପର୍ଯ୍ୟଟନ କ୍ଷେତ୍ର ପାଇଁ ୫୦ଲକ୍ଷ ଟଙ୍କା ଓ ଖଲିଆପାଲିର ଏହି ପୀଠକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନିରଞ୍ଜନ ପୂଝାରୀଙ୍କ ଉଦ୍ୟମରେ ଏହି ଅନୁଦାନ ଆସିଛି । ଏହା ପୂର୍ବରୁ ମଧ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ତରଫରୁ ଅନୁଦାନ ଆସି ଅନେକଗୁଡିଏ ଉନ୍ନୟନ କାମ କରାଯାଇଛି । ୧୯୯୯ ମସିହାରେ ତତ୍‌କାଳୀନ ସୋନପୁର ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ସହାୟତା ଓ ମହିମାଧର୍ମର ଭକ୍ତ ତଥା ଗବେଷକ ଡ.ସଦାନନ୍ଦ ଅଗ୍ରୱାଲ, ଛତ୍ରଧାରୀ ଅଗ୍ରୱାଲ, ମହାଦେବ ବଗର୍ତ୍ତି, ସ୍ୱର୍ଗତ ପ୍ରଫୁଲ୍ଲ ଦାସ, ସ୍ୱର୍ଗତ ବାଙ୍କାବିହାରୀ ପଣ୍ଡା ତଥା ଗ୍ରାମବାସୀଙ୍କ ଉଦ୍ୟମରେ ଏକ ଟ୍ରଷ୍ଟଗଠନ କରାଯାଇ ଅନେକଗୁଡିଏ ଉନ୍ନୟନ କାମ ଆରମ୍ଭ କରାଯାଇଥିଲା । ଦୀର୍ଘ ୧୦୦ ବର୍ଷ ପର୍ଯ୍ୟନ୍ତ ଅବହେଳିତ ହୋଇପଡିଥିବା ସନ୍ଥକବିଙ୍କ ଏହି ପବିତ୍ରପୀଠର ଉନ୍ନତି ହୋଇଚାଲିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନରେ ଅନେକ କିଛି ଉନ୍ନତି ହୋଇପାରିଛି । କିନ୍ତୁ ସନ୍ଥକବି ଭୀମଭୋଇଙ୍କ ଏହି ପବିତ୍ରପୀଠକୁ ଯେଭଳି ଢଙ୍ଗରେ ଉନ୍ନତି କରାଯିବାକୁ ଉଦ୍ୟମ ହେବା କଥା ତଥା ଏହା ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବା କଥା ସେଭଳି କରାଯାଇ ପାରିନାହିଁ । ଅନେକ କ୍ଷେତ୍ରରେ ଏହା ଅବହେଳିତ ହୋଇ ପଡିରହିଛି । ଖଲିଆପାଲି ମହିମାଧର୍ମର ତଥା ସୁବର୍ଣ୍ଣପୁର ଜିଲ୍ଲାର ଏକ ପ୍ରମୁଖ ପୀଠ ହୋଇଥିବା ବେଳେ ଏଠିକି ପ୍ରତ୍ୟହ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି । କିନ୍ତୁ ପରିତାପର ବିଷୟ ହେଲା ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ନାହିଁଁ । ଏଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ଖୋଲିବା, ଖଲିଆପାଲିରେ ଏକ ହାଇସ୍କୁଲ ରହିଥିବା ବେଳେ ଏହାକୁ ଏକ ଯୁକ୍ତଦୁଇ ସେକେଣ୍ଡାରୀ ସ୍କୁଲ କରାଯିବାକୁ ଦାବୀ ହେଉଛି । ସେହିପରି ଏଠାରେ ଏକ ଭଟେନାରୀ କାର୍ଯ୍ୟାଳୟ, ସନ୍ଥପୀଠରେ ଏକ ବଡ ଅଡିଟୋରିୟମ, ସନ୍ଥକବିଙ୍କ ଉପରେ ଗବେଷଣା ପାଇଁ ଡିଜିଟାଲ ଲାଇବ୍ରେରୀ ଇତ୍ୟାଦି ମଧ୍ୟ କରାଯିବାକୁ ଦାବୀ ହେଉଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତ ଥିବା ବେଳେ ଖଳିଆପାଲିର ସନ୍ଥପୀଠକୁ ମଧ୍ୟ ସେ ପରିଦର୍ଶନ କରିବା ଓ ମହିମାସାଧୁଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପୀଠାଧିଶ ସନ୍ୟାସୀ ବାବା, ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ବରିଷ୍ଠ ସଦସ୍ୟ ତଥା ସୋନପୁର ବ୍ଲକର ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୁମନ୍ତ ପଟେଲ ପ୍ରମୁଖ ବ୍ୟାପକ ପ୍ରସ୍ତୁତ କରିଛନ୍ତି । ଗତ ମାସରେ ମହିମାଧର୍ମର ଆଦିପୀଠ ଢେଙ୍କାନାଳର ଯୋରନ୍ଦାକୁ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ଦେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସେହିକ୍ରମରେ ମହିମାଧର୍ମର ଏକ ପ୍ରମୁଖପୀଠ ତଥା ସନ୍ଥକବିଙ୍କ ସାଧନା, ସିଦ୍ଧି ଓ ସମାଧିପୀଠକୁ ମଧ୍ୟ ଅନୁରୂପ ଏକ ବଡପ୍ୟାକେଜ ଦିଆଯାଉ ବୋଲି ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.