ଅଧ୍ୟାପକଙ୍କ ଡି ଲିଟ୍‌ ଉପାଧି ଲାଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ. ସୁରେଶ ପ୍ରସାଦ ଷଡ଼ଙ୍ଗୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସମ୍ମାନଜନକ ଡି.ଲିଟ୍‌ ଉପାଧି ଲାଭ କରିଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ସତ୍ୟପ୍ରକାଶ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ Political participation of women self-help Group in Panchayatiraj – A study of KBK District of Odisha ବିଷୟ ଉପରେ ଗଭୀର ଗବେଷଣା କରି ଓ ସନ୍ଦର୍ଭ ଲେଖି ଏହି ଉପାଧି ପ୍ରାପ୍ତ ହୋଇଛନ୍ତି । ଏହି ସନ୍ଦର୍ଭଟି ଦିଲ୍ଲୀ ବିଶ୍ୱବବିଦ୍ୟାଳୟର ପ୍ରଫେସର ସାର୍ଥକ ବେଚ୍‌, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପ୍ରଫେସର ସଂଜୀବ ସିଂହ ଓ ସେଣ୍ଟ୍ରାଲ ୟୁନିଭର୍‌ସିଟି, ଅମରକଂଟକର ପ୍ରଫେସର ଅନୁପମ ଶର୍ମାଙ୍କ ଦ୍ୱାରା ପରୀକ୍ଷିତ ଓ ଉଚ୍ଚ ପ୍ରଶଂସିତ ହୋଇଛି । ଡକ୍ଟର ଷଡଙ୍ଗୀ ଏହା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିବା ସହ ୟୁଜିସି ମାଇନର୍‌ ରିସର୍ଚ୍ଚ ପ୍ରୋଜେକ୍ଟ ଓ ମେଜର୍‌ ରିସର୍ଚ୍ଚ ପ୍ରୋଜେକ୍ଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ପୁନଶ୍ଚ ତାଙ୍କ ୪୦ରୁ ଅଧିକ ଗବେଷଣାତ୍ମକ ଆଲେଖ୍ୟ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇ ସାରିଛି । ଏତଦ୍‌ବ୍ୟତୀତ ଡକ୍ଟର ଷଡଙ୍ଗୀ ତାଙ୍କ ଗବେଷଣାତ୍ମକ କାର୍ଯ୍ୟକୁ ଆଗେଇ ନେବା ସହିତ ଏକ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଏଥିସହ ୬୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ସେମିନାର୍‌ରେ ନିଜର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରିବା ସହିତ ବିଭିନ୍ନ ସଂଗୋଷ୍ଠୀରେ ନିଜର ବକ୍ତବ୍ୟ ଉପସ୍ଥାପନା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବ୍ୟକ୍ତିଗତ ସ୍ତରରେ ସେ ଜଣେ ମିଷ୍ଟଭାଷା, ମେଳାପୀ ଓ ସୁଦକ୍ଷ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀ ତଥା ସହକର୍ମୀ, ବନ୍ଧୁ ମହଲରେ ବେଶ୍‌ ପରିଚିତ । ବହୁ ସାମାଜିକ ଓ ଶୈକ୍ଷିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଡଃ. ଷଡ଼ଙ୍ଗୀ ଜଣେ ନିଷ୍ଠାବାନ ଗବେଷକ ରୂପେ ପ୍ରସିଦ୍ଧି ଲାଭ କରିଛନ୍ତି ।

Leave A Reply

Your email address will not be published.