ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ କଇଁଛ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜୀବଜନ୍ତୁଙ୍କ ସୁରକ୍ଷା ହିଁ ମଣିଷ ଜୀବନ ବଞ୍ଚିବାର ଏକ ମାଧ୍ୟମ ଅଟେ ବୋଲି ଟାଟା ଷ୍ଟିଲ ସୌଜନ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ କଇଁଛ ଦିବସ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗୋପାଳପୁର ଟାଟା ଷ୍ଟିଲ ପକ୍ଷରୁ ଜିଲ୍ଲା ସ୍ତରରେ ବିଶ୍ୱ କଇଁଛ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି ।

୨୦୦୦ ମସିହାରେ ଆମେରିକାର କଇଁଛ ଉଦ୍ଧାର (ଏଟିଆର୍) ଦ୍ୱାରା ଆରମ୍ଭ ହୋଇଥିବା ଏହି ଦିବସ ଆଜି ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି । କଇଛମାନଙ୍କ ସୁରକ୍ଷା ତଥା ପୁନଃ ଥଇଥାନ ପାଇଁ ସଚେତନତା ଜାଗ୍ରତ କରିବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାକୁ ପ୍ରାଥମିକତା ଦିଆଯାଇ ପାରିବ ବୋଲି କୁହାଯାଇଛି । ସେହି ଲକ୍ଷ୍ୟ ନେଇ ଏହି ଦିବସ ସରକାରୀ ସ୍ତରରେ ପାଳିତ ହୋଇ ଆସୁଅଛି । ଚଳିତ ବର୍ଷ ‘କଇଁଛ ମହାସାଗରର ଅଭିଭାବକ’ ବିଷୟବସ୍ତୁ ରଖାଯାଇଛି । ଗୋପାଳପୁର ଟାଟା ଷ୍ଟିଲ ମୁଖ୍ୟ ରକି ମାର୍ଟିନ୍‌ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆର୍ମି ଏ.ଡି. କଲେଜର ଲେଫ୍ଟନାଣ୍ଟ ଜେନେରାଲ ୟୁ ବି ତଲୱାର ଯୋଗ ଦେଇ ପ୍ରତିରକ୍ଷା ବାହିନୀ ଦେଶକୁ ସୁରକ୍ଷା ଦେବା ପାଇଁ ଜାଗ୍ରତ ଥିବା ବେଳେ ଗୋଖରକୁଦା, ପୋଡମପେଟା, ପୁରୁଣା ବନ୍ଧ, କଣ୍ଟିଆଗଡ, ପାଳିବନ୍ଧ ପ୍ରଭୃତି ଅଞ୍ଚଳରେ ଗ୍ରାମବାସୀଗଣ ଜୀବମାନଙ୍କୁ ସୁରକ୍ଷା ଦେଉଥିବା ଯୋଗୁଁ ସେମାନେ ବିଶ୍ୱ ସମୁହର ସୁରକ୍ଷା ଦେଉଥିବା ଜଣାଇ ଖୁସି ପ୍ରକାଶ କରିଥିଲେ ।

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଜଣାଇଥିଲେ ଯେ ଋଷିକୂଲ୍ୟା ମୁହାଣର ଅଞ୍ଚଳବାସୀ ତଥା ମତ୍ସ୍ୟଜୀବୀମାନଙ୍କ ସହଯୋଗରେ କିଭଳି ବିରଳ ପ୍ରଜାତିର କଇଁଛ ସୁରକ୍ଷିତ ହୋଇପାରିବ । ଗଞ୍ଜାମ ଜିଲ୍ଲାରେ ରହିଥିବା ମୟୂର, କୃଷ୍ଣସାର ମୃଗ, ବିରଳ କଇଁଛ ପ୍ରଭୃତି ଜୀବଜନ୍ତୁର ସୁରକ୍ଷା ଦିଗରେ ସ୍ଥାନୀୟ ବାସୀଙ୍କର ଅହରହ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋକ୍କର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କ ସହଯୋଗ, ଜିଲ୍ଲା ପ୍ରଶାସନ କୋଷ୍ଟଗାର୍ଡ, ପ୍ରତିରକ୍ଷା ବାହିନୀ ପ୍ରମୁଖଙ୍କ ଭୂମିକାକୁ ପ୍ରଶଂସା କରି ଟାଟା ଷ୍ଟିଲର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ । କୋଷ୍ଟଗାର୍ଡ କମାଣ୍ଡାଣ୍ଟ ପ୍ରତାପ ମୋହନ, ଆର୍ମି କର୍ଣ୍ଣେଲ ମାନସ ଖାଡଙ୍ଗା, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଡ. ଅନୀଲ ମହାପାତ୍ର, ଖଲ୍ଲିକୋଟ ରେଂଜ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଡ. ଶଙ୍କର ନାରାୟଣ ଦେବ, ଅବୈତନିକ ବଣ୍ୟପ୍ରାଣୀ ତତ୍ୱାବଧାରକ ରବୀନ୍ଦ୍ର ନାଥ ସାହୁ, ଟାଟା ଷ୍ଟିଲର ଅଧିକାରୀବୃନ୍ଦ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟରେ ପ୍ରାଣୀ ଜଗତର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ ।

କଇଁଛ ସୁରକ୍ଷା ଦିଗରେ ଯେଉଁମାନେ ୪୫ ଦିନ ବ୍ୟାପୀ ସହଯୋଗ କରିଥିଲେ ସେହି ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ଯଥା କୁମାରୀ ବେହେରା, ବୁଦ୍ଧିଆ ବେହେରା, ଭାଇଗ ବେହେରା, ସୁରୁଖା ବେହେରା, କ୍ରିଷ୍ଣା ରାଓ, ଏନ୍. ଗଣେଶ, ଶ୍ରୀମତୀ ସଂଯୁକ୍ତା ପ୍ରଧାନ ସରପଞ୍ଚ, ପାଳିବନ୍ଧ ଗ୍ରାମ ପଞ୍ଚାୟତ, ରବିନ୍ଦ୍ର ନାଥ ସାହୁ, ମାଗତା ବେହେରା, ଗ୍ରାମ ମୁଖ୍ୟ ପୁରୁଣା ବନ୍ଧ, ଡବ୍ଲ୍ୟୁ କେଦାର, ଗ୍ରାମ ମୁଖ୍ୟ, ଗୋଖରକୁଦା, ସିଏଚ୍ ସାଟାୟା, ଗ୍ରାମ ମୁଖ୍ୟ ପୋଡମ୍‌ପେଟା, ପବିତ୍ର ସ୍ୱାଇଁ, ଗ୍ରାମ ମୁଖ୍ୟ କଣ୍ଟିଆଗଡଙ୍କୁ ପୁରସ୍କାର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.