ବଲାଙ୍ଗିର ସହରର ଦୁଇ ଯୁବକଙ୍କୁ ଛୁରାମାଡ : ୧ ମୃତ, ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପୁଣି ଏକ ବର୍ବର ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସହରର ନରସିଂ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଛି ଛୁରାମାଡ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୀମଭୋଇ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ମୃତକ ଜଣକ ଗେଟ୍‌ସରୋବରପଡାର ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀ ଏବଂ ଗୁରୁତର ଯୁବକ ଜଣକ କନ୍ଧପାଲିପଡାର ପ୍ରେମ ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୩ଟା ସମୟରେ ବ୍ରାହ୍ମଣପଡାଠାରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଦୁଇ ସାଙ୍ଗ ନରସିଂ ମନ୍ଦିର ଗଳିରେ ଛିଡା ହୋଇଥିବା ବେଳେ ଅନ୍ୟଗୋଷ୍ଠୀର କିଛି ଯୁବକଙ୍କ ସହ କଥା କଟାକଟି ହୋଇଥିଲା । ଶେଷରେ କଥା କଟାକଟି ଭୟଙ୍କର ରୂପ ନେଇଥିଲା । ବିଟ୍ଟୁ ଓ ତାଙ୍କ ସାଙ୍ଗଙ୍କୁ ଛୁରାମାଡ କରିଥିଲେ ଦୁବୃର୍ତ୍ତମାନେ । ତେବେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ମାରିଥିବା ବେଳେ ବିଟ୍ଟୁ ଓ ତାଙ୍କ ସାଙ୍ଗଙ୍କୁ ରକ୍ତ ଜଡୁବୁଡୁ ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପ୍ରେମ ସାହୁଙ୍କୁ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.