କାମରେ ଆସୁନି ଗୋଷ୍ଠୀ ଶୌଚାଳୟ : ଖତ ଖାଉଛି ସରକାରୀ ଟଙ୍କା, ସାଧାରଣରେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ବସ୍‌ଷ୍ଟାଣ୍ଡ ପାଖରେ ଖପ୍ରାଖୋଲ ପଞ୍ଚାୟତ ତରଫରୁ ଯାତ୍ରୀ ଏବଂ ଜନସାଧାରଣଙ୍କ ସୁବିଧା ଓ ପରିମଳ ବ୍ୟବସ୍ଥାକୁ ସଫା ସୁତୁରା ରଖିବା ପାଇଁ ୨୦୨୧ ମସିହାରେ ୩ ଲକ୍ଷ୍ୟ ଟଙ୍କା ଅଟକଳ ପରିମାଣରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜକୁ ୨ ବର୍ଷରୁ ଅଧିକ ହେବ କାମକୁ ଆସୁନି । ବର୍ତ୍ତମାନ ଶୌଚାଳୟର ଅବସ୍ଥାକୁ ଦେଖି ଲୋକେ କହୁଛନ୍ତି ଖତ ଖାଉଛି ସରକାରୀ ଟଙ୍କା । ସବୁ ସୁବିଧା ଥାଇ ମଧ୍ୟ ଏ ପର୍ଯ୍ୟନ୍ତ କାହିଁକି ଏହି ଶୌଚାଳୟ ଲୋକଙ୍କ କାମରେ ଆସୁନି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଲ୍ଡିଙ୍ଗ ଠିକ୍‌ଠାକ୍‌ ଅଛି । ବିଲ୍ଡିଙ୍ଗ ଉପରେ ପାଣିଟାଙ୍କି ଅଛି । କିନ୍ତୁ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି । ଶୁଣିବାକୁ ମିଳିଛି ଯେ ଗୋଷ୍ଠୀ ଶୌଚାଳୟ ଆରମ୍ଭ ହୋଇ କିଛି ଦିନ ଗଲାପରେ ରାତିରେ ଚୋରମାନେ ପଶି ଭିତରେ ଲାଗିଥିବା ଲାଇଟ୍‌ ଏବଂ ସାମାନ ପତ୍ର ଚୋରି କରି ନେଇଯାଇଥିଲେ । ପରେ କିଛି ଅସାମାଜିକ ବ୍ୟକ୍ତି ଶୌଚାଳୟ ଭିତରେ ମଦ ପିଇ ମଦ ବୋତଲକୁ ଭିତରେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଶୌଚାଳୟକୁ ସଫା ସୁତୁରା ରଖିବା ପାଇଁ କୌଣସି ଲୋକକୁ ଦାୟିତ୍ୱ ନ ଦେଇଥିବାରୁ ତାହା ଏବେ ଅଳିଆ ଆବର୍ଜନା ଗୃହ ପାଲଟିଛି । ସେହିଦିନ ଠାରୁ ଗୋଷ୍ଠୀ ଶୌଚାଳୟ ଉପରେ ପ୍ରଶାସନର ସୁଦୃଷ୍ଟି ପଡିନି ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ବିଷୟ ଉପରେ ଆମେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ ପୁଣି ଥରେ ସେହି ଗୋଷ୍ଠୀ ଶୌଚାଳୟକୁ କାର୍ଯ୍ୟକ୍ଷମ କରାଯିବା ସହିତ ଖପ୍ରାଖୋଲ ଅଞ୍ଚଳରେ ଏମିତି ଅନେକ ସରକାରୀ ଜାଗାରୁ ଅସାମାଜିକ ବ୍ୟକ୍ତିମାନେ ପାଣି ଟ୍ୟାପ, ମଟର, ଇଲେକ୍ଟ୍ରି ଉପକରଣ ଚୋରି କରି ନେଉଛନ୍ତି ଏବଂ ଗୋଷ୍ଠୀ ଶୌଚାଳୟକୁ ଭଲ ଭାବରେ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନତାର ଆବଶ୍ୟକ ବୋଲି କହି ଦୁଃଖ ପ୍ରକାଶ କରିଥିଲେ ।

Leave A Reply

Your email address will not be published.