
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ସହରସେବା ବିଭାଗର ମୁଖ୍ୟ ସିଜିଏମ ଅଜୟ କୁମାର ନାୟକ ଆଜି ଚାକିରିରୁ ଅବସର ନେଇଥିବାରୁ ଇସ୍ପାତ ଫିଟ୍ନେସ୍ ପାର୍କ ଏଲାଇଟ୍ସ ଗ୍ରୁପ ତରଫରୁ ସେକ୍ଟର ୧୯ରେ ଥିବା ଫିଟ୍ନେସ୍ ପାର୍କରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫିଟ୍ନେସ୍ ଗ୍ରୁପର ବରିଷ୍ଠ ମୁଖ୍ୟ ନିମାଇଁ ଚରଣ ରାୟ ଅଧ୍ୟକ୍ଷତା କରିଥିଲା ବେଳେ ସଭା ସଂଚାଳନା ଡ଼କ୍ଟର ସୁମନ ଦତ୍ତ କରିଥିଲେ । ଡିଜିଏମ ଅଜୟ ପୂଜାରୀ ବିଦାୟୀ ଅଜୟ ନାୟକଙ୍କର ଏହି ଇସ୍ପାତ ସହର ପ୍ରତି ଥିବା ସମର୍ପିତ ଭାବକୁ ବର୍ଣ୍ଣନା କରିବା ସହ ତାଙ୍କ ନେତୃତ୍ୱରେ ସହରରେ ହୋଇଥିବା କାର୍ଯ୍ୟାବଳୀର ପ୍ରଶଂସା କରିଥିଲେ । ଶ୍ରୀ ନାୟକଙ୍କ ଠାରୁ ବିଭାଗର ଦାୟିତ୍ୱ ଗ୍ରହଣ କରିଥିବା ସିଜିଏମ ପ୍ରତାପ କୁମାର ସ୍ୱାଇଁଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । ଫିଟ୍ନେସ୍ ପାର୍କ ତରଫରୁ ସଭାପତି ଶ୍ରୀ ରାୟ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ଅଜୟ ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲା ବେଳେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ପ୍ରତାପ କୁମାର ସ୍ୱାଇଁକୁ ସ୍ୱାଗତ କରି ଆଗାମୀ ଦିନରେ ସହରର ଉନ୍ନତିର ଆଶା ପ୍ରକଟ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ରାଉରକେଲାରେ ଚାକିରି ଜୀବନରେ ବିତାଇ ଥିବା ଦିନ ଗୁଡିକ ସ୍ମରଣୀୟ ହୋଇ ରହିବ ବୋଲି ଅଜୟ କୁମାର ନାୟକ ପ୍ରକାଶ କରିବା ସହ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ପାଇଁ ଫିଟ୍ନେସ୍ ପାର୍କକୁ ପ୍ରତିଦିନ ଆସିବାକୁ ପରାମର୍ଶ ଦେଇଥିଲେ । ସମସ୍ତଙ୍କ ସହଯୋଗ ରହିଲେ ଏ ସହରର ଆହୁରି ଆହୁରି ଉନ୍ନତି ସମ୍ଭବ ହୋଇପାରିବ ବୋଲି ପ୍ରତାପ କୁମାର ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ । ସିଜିଏମ ରାଜକିଶୋର ମୁଦୁଲି ଏହି ଇସ୍ପାତ ଫିଟ୍ନେସ୍ ପାର୍କରେ ପାଳନ ହେଉଥିବା ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ବିଭିନ୍ନ ପର୍ବପର୍ବାଣୀ ଏକ ଅନନ୍ୟ ପରମ୍ପରା ବୋଲି ମତ ପ୍ରକାଶ କରିବା ସହ ସମସ୍ତେ ଏଥିରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ବିଦାୟକାଳୀନ ସଭାରେ ଡି. ପ୍ରସାଦ, ଏମ. କେ ଚାନ୍ଦ, ଶେଖର ନାରାୟଣ, ସଂଜୀବ ସାହୁ, ଅଧୁସ୍ମିତା ମହାନ୍ତି, ରାଜୁ ଯୋଶୀ, ଅକ୍ଷୟ ରାଉତ, ବାବାଜୀ ବେହେରା, ବିକାଶ ରାଉତରାୟ, ଅଶୋକ ରାଉତ, ବିକାଶ ପାତ୍ର, ସନ୍ତୋଷ ପଣ୍ଡା, ବିଷ୍ଣୁ ଚନ୍ଦ୍ର ବେହେରା, ସଞ୍ଜୟ ସାହୁ, ଅମିତ ଚୌଧୁରୀ, ରୁଦ୍ର ଦାସ, ବିଦ୍ୟାଧର ଜେନା, ପ୍ରଦୀପ ମହାନ୍ତି, ଜ୍ୟୋତି ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।