ଝରଣୀପାଲିରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ତରଫରୁ ଅବସରପ୍ରାପ୍ତ ଶିକ୍ଷକ ରାଧେଶ୍ୟାମ ରାଏଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଭୋଇ ସଭାପତିତ୍ୱ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୁଗିଆ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୁର୍ଯ୍ୟୋଧନ ପଶାୟତ ଓ ନଅଁଗା(ଖ) କ୍ଲଷ୍ଟର ସଂଯୋଜକ ହୃଷି ପଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ରାଏଙ୍କ ଶିକ୍ଷକତା ଜୀବନର ସେବା କାର୍ଯ୍ୟ ତଥା ସମାଜ ପାଇଁ ଥିବା ସମର୍ପଣ ମନୋଭାବର ପ୍ରଶଂସା କରିଥିଲେ । ଶ୍ରୀ ରାଏଙ୍କୁ ଅତିଥିବୃନ୍ଦ କ୍ଲଷ୍ଟର ତଥା ବ୍ଲକ ତରଫରୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ କ୍ଲଷ୍ଟର ସଂଯୋଜକ ଅନିରୁଦ୍ଧ ଭୋଇ ପରିଚାଳନା କରିଥିବା ବେଳେ ଲରମ୍ଭାମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜିନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲଷ୍ଟରସ୍ତରୀୟ ଶିକ୍ଷକ ଘନଶ୍ୟାମ ସାହୁ, କେଶବ ଚନ୍ଦ୍ର ଭୋଇ, ରାମପ୍ରସାଦ ପାତ୍ର, ରଂଜନ ସାହୁ, ପ୍ରମୋଦ ସାହୁ, ଦୟାନିଧି ସାହୁ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.