ବିନା ଓରେରା ଅନୁମତିରେ ବିକ୍ରି ହେଉଛି ଜମି, ସରକାରଙ୍କ ରାଜସ୍ୱ ହାନୀ : ସାଧାରଣରେ ଆଲୋଚନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକ ସଂଖ୍ୟା ବଢ଼ିବା ସାଙ୍ଗକୁ ଘର ନିର୍ମାଣ ସଂଖ୍ୟା ବି ବଢ଼ି ଚାଲିଛି । ଜମି ଖଣ୍ଡିଏ ନିଜ ଦର ଅନୁଯାୟୀ ଖୋଜି ପାଇବା ଭାରି କଷ୍ଟକର ବ୍ୟାପାର ହୋଇଗଲାଣି । ଜମି ବିକ୍ରି ବ୍ୟବସାୟ ଏବେ ପ୍ରାୟତ ସବୁ ଆଡ଼େ ମାଡ଼ି ଚାଲିଛି । ଜମି ମାଲିକ ମଧ୍ୟ ବିଭିନ୍ନ ମଧ୍ୟସ୍ଥି ଯାହାକି (ଜମି ଦଲାଲ)ଙ୍କ ଜରିଆରେ ଜମି ବିକ୍ରି କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି ।

ଜମି ମାଲିକଙ୍କୁ ଗୋଟିଏ ଦରରେ ଆଗ ମୂଲଚାଲ କରି ଅଗ୍ରୀମ କିଛି ଟଙ୍କା ଦେଇ ଏହି ମଧ୍ୟସ୍ଥିମାନେ ଗ୍ରାହକ ଖୋଜି ଜମି ବିକ୍ରି କରୁଛନ୍ତି, ଯାହାକି ସରକାରୀ ଜମିର ମୂଲ୍ୟ ଯଦି ପ୍ରତି ଡିସିମିଲକୁ ତିରିଶ ହଜାର ଟଙ୍କା ଥିବ ତାହା ଏବେ ଡିସିମିଲ ପ୍ରତି ତିନି ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ବୋଲି ମତ ପ୍ରକାଶ ପାଇଛି । ଜମି ବିକ୍ରି କଲାପରେ ରାସ୍ତା ପାଇଁ କିଣିଥିବା ଲୋକ ହଇରାଣ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଜମି ଦଲାଲ ରାସ୍ତାର ଚଉଡ଼ା ଯେତେ ଚଉଡ଼ା କହିକି ବିକ୍ରି କରୁଛନ୍ତି । ଘର ତିଆରି କଲା ପରେ ସେତିକି ରହୁନାହିଁ, ବିକ୍ରି କରି ସାରିବା ପରେ ମଧ୍ୟସ୍ଥିମାନେ ମଧ୍ୟ ଧରା ଦିଅନ୍ତନି ବୋଲି ଅଭିଯୋଗ ହେଉଛି । ଟିଟିଲାଗଡ ସହର ତଥା ସହରକୁ ଲାଗି ରହିଥିବା ଆଖପାଖ ଅଞ୍ଚଳରେ ଏବେ ଏହିଭଳି ଜମି ବିକ୍ରି କାରବାର ଜୋର୍‌ସୋର୍‌ରେ ଚାଲିଥିବା ଅଭିଯୋଗ ହେଉଛି । ସରକାରଙ୍କ ଜମି ବିକ୍ରି ପାଇଁ ଥିବା ଓରେରା ନିୟମର ଖୋଲାଖୋଲି ଉଲଙ୍ଘନ କରୁଛନ୍ତି ଏହି ଜମି ବେପାରିମାନେ । ଯଦ୍ୱାରା ରାଜ୍ୟ ସରକାରଙ୍କ ବହୁତ ଟଙ୍କାର ରାଜସ୍ୱ ହାନୀ ହେଉଥିବା ବୁଦ୍ଧିଜୀବୀମାନେ ସହରରେ ଚର୍ଚ୍ଚା କରୁଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ସରକାରଙ୍କ ଓରେରା ଲାଗୁ ହେଉନି କିପରି ? ଯେତେବେଳେ ଜମିକୁ ପ୍ଲଟ ଭାବେ ବିକ୍ରି କରିବାକୁ ଚିହ୍ନ ଦିଆଯାଉଛି ବିଭାଗୀୟ ଅଧିକାରୀ ଏହି ବ୍ୟବସାୟ ବିଷୟରେ ଖବର ପାଉ ନାହାଁନ୍ତି କିପରି ? ଶୁଣିବାକୁ ମିଳୁଛି ଯେ ଏକା ସାଙ୍ଗରେ ସବୁ ଜମିକୁ ପଞ୍ଜୀକରଣ ନ କରି କିଛି କିଛି ଦିନ ବ୍ୟବଧାନରେ ଜମି ବିକ୍ରି ଏବଂ ପଞ୍ଜୀକରଣ କରୁଛନ୍ତି ଏହି ବ୍ୟବସାୟୀମାନେ । ଏହା ଦ୍ୱାରା ସରକାରଙ୍କ ନିକଟକୁ ଯିବା ରାଜସ୍ଵ ଏହି ମଧ୍ୟସ୍ଥିଙ୍କ ପକେଟକୁ ଯାଉଛି ବୋଲି ମତ ପ୍ରକାଶ ପାଉଛି । ଓରେରା ଆଇନ ଅନୁଯାୟୀ ପଞ୍ଜୀକରଣ ନ କରି ପ୍ଲଟ ବ୍ୟବସାୟ ହେଉଛି କିପରି ? ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବା ସହ ଏହି ଭଳି ଜମି ବିକ୍ରିର ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି । ଜମି ଦର ଏତେ ବୃଦ୍ଧି ହୋଇଗଲାଣି ଯେ ଲୋକ ଜମି କିଣିବାକୁ ସାତ ସପନ ଦେଖିବାକୁ ପଡ଼ିବ ବୋଲି କହୁଛନ୍ତି । ଏହି ମଧ୍ୟସ୍ଥିମାନଙ୍କ ପାଇଁ ଜମି ଦର ଆକାଶ ଛୁଆଁ ହୋଇଗଲାଣି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏ ଦିଗରେ ଯଥା ଶୀଘ୍ର ସରକାର ତଦନ୍ତ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.