jsm

ଖେଳ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

csstore

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ ସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୀତାରାମ ପଧାନଙ୍କୁ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଭାଗବତିଆ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ପ୍ରଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନେପାଳ ପଧାନ, ଲଳିତ ମୋହନ ସାହୁ, ସରପଞ୍ଚ ବୃନ୍ଦାବନ ସେଠ ଓ ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଦାୟକାଳୀନ ସଂଗୀତ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ପୁରାତନ ଛାତ୍ର ସାଂସଦ ତଥା ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମର ଶିକ୍ଷକ ସଂଘ ତଥା ଅନ୍ୟ ବିଦ୍ୟାଳୟର ଖେଳ ଶିକ୍ଷକମାନେ ଯୋଗ ଦେଇ ଶ୍ରୀ ପଧାନଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ । ସୂଚନାଯୋଗ୍ୟ ଯେ, ଖେଳ ଶିକ୍ଷକ ଶ୍ରୀ ପଧାନ ଏହି ବିଦ୍ୟାଳୟର ଜଣେ ଛାତ୍ର ଥିଲେ ଏବଂ ପରେ ସେ ଏଠାରେ କ୍ରୀଡ଼ା ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କର ଦକ୍ଷତା ଓ ପରିଶ୍ରମ ଯୋଗୁଁ ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟସ୍ତରରେ ସୁନାମ ଅର୍ଜନ କରିବା ସହିତ ବିଦ୍ୟାଳୟର ଗୌରବ ବଢାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ, ପଲ୍ଲୀ ଆଲୋକ ପାଠାଗାର, ଗ୍ରାମ୍ୟ ଶିକ୍ଷକ ସଂଘ ଏବଂ ପୁରାତନ ଛାତ୍ର ସାଂସଦ ପକ୍ଷରୁ ଶ୍ରୀ ପଧାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ପରେ ବିଭିନ୍ନ ଅନୁଷ୍ଠାନ ତଥା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଶ୍ରୀ ପଧାନଙ୍କୁ ନେଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପୂର୍ବକ ଏକ ଭାବବିହ୍ଵଳ ପରିବେଶରେ ତାଙ୍କ ବାସଭବନରେ ବିଦାୟ ଜଣାଇଥିଲେ ।

yuvodaya
Leave A Reply

Your email address will not be published.