‘ଧ୍ୱନି’ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଛତ୍ରପୁର ଟିମ୍ ଦ୍ୱାରା ଆୟୋଜିତ ‘ଦି- ଡାର୍କ ପାଥ୍’କୁ ମିଳିଳା ଶ୍ରେଷ୍ଠ ପୁରସ୍କାର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ଓଡିଶୀ ରିସର୍ଚ୍ଚ ଫାଉଣ୍ଡେସନ ସଭା ଗୃହରେ ଫିକି ଓମେନ ଏମ୍-ପାୱାର, ଜି-୨୦, ଟାଟା ମାଇନିଂ ଏବଂ ଆଇନା ପକ୍ଷରୁ ଆୟୋଜିତ ଦିବ୍ୟାଙ୍ଗ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଫ୍ଲୋ-ଧ୍ଵନିରେ ଛତ୍ରପୁରର ଇଂ. ଦେବାଶିଷ ପାଣିଗ୍ରାହୀ ଏବଂ ଦୁର୍ଗା ପ୍ରସାଦ ମାର୍ଥାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚିତ୍ର ‘ଦି ଡାର୍କ-ପାଥ୍’କୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଥିବା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି, ଅଭିନେତା ପାର୍ଥ ସାରଥୀ, ଆଇନାର ସଭାନେତ୍ରୀ ସ୍ନେହା ମିଶ୍ର ସେମାନଙ୍କୁ ମାନପତ୍ର, ଉପଢୌକନ ସହ ୨୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି । ଜଣେ ୧୦ ବର୍ଷୀୟ ଛାତ୍ର ରାଜା କିଭଳି ଅନ୍ଧତ୍ୱର ଶିକାର ହୋଇ ମଧ୍ୟ ସାଧାରଣ ପିଲାଙ୍କ ଭଳି ସବୁ କାମ କରିବାରେ ସକ୍ଷମ ତାହା ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ସେ ବି ପାଠ ପଢୁଛି, ଗୀତ ଗାଉଛି, ଖେଳୁଛି, ଏକାକୀ ସବୁ କାମ କରୁଛି ଏବଂ ଦିନେ ଜଣେ ସୁନାଗରିକ ହେବା ସକାଶେ ପ୍ରଯତ୍ନ କରୁଛି, ତାହା ଅତିସୁନ୍ଦର ଭାବେ ଉପସ୍ଥାପିତ ହୋଇଛି ‘ଦି ଡାର୍କ ପାଥ୍’ ଚଳଚିତ୍ରରେ । ଏହି କାର୍ଯ୍ୟକ୍ରମରେ ପାଇଥିବା ୨୦ ହଜାର ଟଙ୍କା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଉକ୍ତ ଭିନ୍ନକ୍ଷମ ବିଦ୍ୟାଳୟକୁ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶକ ମଞ୍ଚରେ କହିଥିଲେ । ଦେବାଶିଷ ଏହାର ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଦୁର୍ଗା ପ୍ରସାଦ ମାର୍ଥା ଚିତ୍ରତୋଳନ ଚିତ୍ରୋତ୍ତଳନ କରିଥିଲେ । ଏଥିସହିତ ସେହି ଚଳଚ୍ଚିତ୍ର ନିର୍ମାଣରେ ବେଣୁଧର, ସନ୍ଦୀପ, ରୀତେଶ, ଶିବ ପ୍ରମୁଖ ସହଯୋଗ କରିଥିଲେ ।