ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ

ଆଗଲପୁର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ । ଅସମ୍ଭାଳ ଦୁଃଖ ଆଣିଦେଇଛି ଏହି ଅଦିନିଆ ବର୍ଷା ଏବଂ କୁଆପଥର ମାଡ । ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ ‘ଖ’ ପଞ୍ଚାୟତରେ ଅଦିନିଆ କୁଆପଥର ମାଡରେ ନଅଗାଁ, ତେନ୍ତୁଳିଖୁଣ୍ଟି ଓ ସାନଟିକା ଗ୍ରାମରେ ପାଞ୍ଚଶହରୁ ଅଧିକ ହେକ୍ଟର ପନିପରିବା ଫସଲ ନଷ୍ଟ ହୋଇଯାଇଛି । ଏଥିପାଇଁ ସ୍ଥାନୀୟ ସରପଞ୍ଚ ବୃନ୍ଦାବନ ସେଠ୍ ଓ ଅନେକ ଚାଷୀ ନିଜ ଚାଷ ଜମି ଦେଖି ବହୁତ ଦୁଃଖ ପ୍ରକାଶ କରିବା ସହ କିପରି ଭାବେ ଚାଷୀକୁଳ ସରକାରଙ୍କଠାରୁ ସହାୟତା ପାଇବେ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଅନୁରୋଧ କରିଛନ୍ତି । ଚାଷୀମାନଙ୍କ କହିବା ଅନୁସାରେ ଗତ ୨୦ – ୨୫ ବର୍ଷ ମଧ୍ୟରେ ଏଭଳି ସମସ୍ୟା କେବେ ହୋଇ ନଥିଲା । ଚଳିତ ବର୍ଷ ଏହି ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷୀଙ୍କ କପାଳ ଉଜାଡି ଦେଇଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.