ଗଞ୍ଜେଇ ଜବତ, ୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଓର୍କେଲ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ୩୨୦କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଓର୍କେଲ ଥାନା ସ୍ଥିତ ଧାଉଡ଼ାଗୁଡା ଗ୍ରାମର ଜଣେ ବ୍ୟକ୍ତି ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଘରେ ବହୁ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥିଲେ । ଏନେଇ ବିଶ୍ୱସ୍ଥ ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିଥିଲା । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଇନିସ୍ପେକ୍ଟର ଉଦେ ଲାଲ ନାୟକଙ୍କ ନେତୃତ୍ୱରେ ମାଲକାନଗିରି ଅବକାରୀ ଥାନା ଅଧିକାରୀ ଗଦାଧର ମହାରଣା, ଓର୍କେଲ ଅବକାରୀ ଥାନା ଅଧିକାରୀ ରବୀନ୍ଦ୍ର ପ୍ରଧାନ, ଅବକାରୀ ଏଏସଆଇ ଅକ୍ଷୟ ଜେନା, ଦିନେଶ କୁମାର ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀମାନେ ଓର୍କେଲ ଥାନା ଧାଉଡ଼ାଗୁଡା ଗ୍ରାମର ରାମଚନ୍ଦ୍ର ହନ୍ତାଳଙ୍କ ଘରରେ ଚଢ଼ାଉ କରିଥିଲେ । ଅବକାରୀ ଟିମ୍ ଘରେ ଯାଞ୍ଚ କରିବାରୁ ଘରଭିତରୁ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ବୋଝେଇ ହୋଇରହିଥିବାର ଦେଖିଥିଲେ । ଘର ମାଲିକ ରାମଚନ୍ଦ୍ର ଖସିଯିବାକୁ ଚେଷ୍ଠା କରୁଥିବା ବେଳେ ଅବକରୀ ବିଭାଗ କର୍ମଚାରୀ କାବୁ କରି ଗିରଫ କରି ନେଇଥିଲା । ଜବତ ଗଞ୍ଜେଇକୁ ଓଜନ କରିବାରୁ ୩୨୦କେଜି ହୋଇଥିଲା । ଗଞ୍ଜେଇଗୁଡିକୁ ବେଆଇନ ଭାବେ ଗଚ୍ଛିତ ରଖିଥିବା ଅଭିଯୋଗରେ ରାମଚନ୍ଦ୍ର ହନ୍ତାଳକୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୨ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଗଞ୍ଜେଇ କାରବାରରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଜାରି ରହିଛି ବୋଲି ଜିଲ୍ଲା ଅବକାରୀ ସୁପ୍ରିଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.