ଆସନ୍ତା ୩ରେ ରାଉରକେଲା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖ ଦିନ ସଂଧ୍ୟା ବେଳେ ସେକ୍ଟର ୧୭ ପଡିଆଠାରେ ଅଷ୍ଟମ ରାଉରକେଲା ଦିବସ ପାଳନ କରାଯିବ ବୋଲି ଜଣାପଡ଼ିଛି । ଏନେଇ ସେକ୍ଟର ୪ ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କାନଭାସର ମୁଖ୍ୟ ସୁରେଶ ପ୍ରଧାନ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ରାଉରକେଲାର ଐତିହ୍ୟ ଓ ସଂସ୍କୃତିର ଗରିମାକୁ ବଂଚାଇ ରଖିବା ସହ ସହରକୁ ବିଭିନ୍ନ କ୍ଷେତ୍ରରେ ସୁନାମ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କ୍ରମରେ ଓଡିଶା ଟେଲିଭିଜନର ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ଡାଙ୍କୁ ଉତ୍କଳ ରତ୍ନ, ସମ୍ବଲପୁରର ଜଣାଶୁଣା ମାନବସେବାରେ ବ୍ରତୀ ଡାକ୍ତର ଶଙ୍କର ରାମଚନ୍ଦ୍ରାନିଙ୍କୁ ଓଡିଶା ଗୌରବ, କ୍ରୀଡାବିତ୍ ନଟରାଜ ବେହେରାଙ୍କୁ ରାଉରକେଲା ରତ୍ନ, ରାଜୀବ ସିଂଙ୍କୁ ରାଉରକେଲା ଯୁବ ପ୍ରତିଭା, ସହରର ଏକ ପ୍ରମୁଖ ସାମାଜିକ, ସାଂସ୍କୃତିକ ତଥା ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାରକୁ ରାଉରକେଲା ଗୌରବ ଏବଂ ସ୍ୱର୍ଗତ ରମେଶ ବଳ ଓ ମନୋଜ ପ୍ରଧାନଙ୍କୁ ମରଣୋତ୍ତର କାନଭାସ ସମ୍ମାନରେ ସମ୍ମାନିତ କରାଯିବ । ଏହି ଅବସରରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌, ଗୀତିକାର ପଞ୍ଚାନନ ନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଶୁଭାଶିଷ ମହାକୁଡ, ପ୍ରଭୁପାଦ ମହାନ୍ତି, ଚିରାଗଦୀପ ପଣ୍ଡା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନ ରାଉରକେଲା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁଧୀର ସୁନ୍ଦରରାୟ, ମିଟୁ ବେହୁରିଆ, ଲିଟୁ ପୁହାଣ, ଜିତୁ ଦାସ, ସୁରେଶ ମାଝୀ, ରବି ଦାସ, ସନ୍ତୋଷ ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.