ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିର୍ଣା ଗାଁର କ୍ରସର୍ ପଛପଟେ ଥିବା ଏକ ଚାଖୁଣ୍ଡା ବୃକ୍ଷରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ମୃତ ଯୁବକଙ୍କ ନାମ ଶୋବିଲିୟାସ ହରପାଲ (୨୬) ବୋଲି ଜଣାପଡିଛି । ସେ ସ୍ପନ୍ଦନା ମାଇକ୍ରୋ ଫାଇନାନ୍ସ କମ୍ପାନୀ, କଣ୍ଟାବାଞ୍ଜି, ଆମପଡାରେ ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିଲେ ।

ସୂଚନାଯୋଗ୍ୟ ଯେ, କଲେକ୍ସନ କରିବା ପାଇଁ ଯାଇ ଦୁଇଦିନ ହେଲା ସେ ନିଖୋଜ ଥିଲେ । ଏନେଇ ତାଙ୍କ ସହକର୍ମୀ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ । ତେବେ ରବିବାର ସକାଳେ ଲୋକେ ନିତ୍ୟକର୍ମ ପାଇଁ ଆସିଥିବା ବେଳେ ଉକ୍ତ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ମୃତଦେହ ପାଖରେ ଏକ ଟିଭିସ୍‌ କମ୍ପାନୀର ଅପାଚି ଗାଡି (ଓଡି ୧୭ୟୁ ୬୧୪୩) ରହିଅଛି । କଣ୍ଟାବାଞ୍ଜି ପୋଲିସ ଖବର ପାଇ ଶବ ଜବତ କରି ତଦନ୍ତ ଜାରି ରଖିଛି । ଅପାଚି ଗାଡି ନମ୍ବର ଅନୁସାରେ ଏହା ଶୋଭିଲିୟସ ହରପାଲଙ୍କର ବୋଲି ଜଣାପଡିଛି । ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.