ଟିଟିଲାଗଡଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

  • ୧୭୮୮ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୪୧.୨୬ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅବସରରେ ଅନୁଷ୍ଠିତ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀ, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ କୈଳାଶ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଦେଇଥିଲେ । ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିବା ସହ ଜିଲ୍ଲାର ସମସ୍ତ ବ୍ଲକରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ ଏବଂ ଜିଲ୍ଲା ସ୍ତରରେ ଏକ ମିଶନ ଶକ୍ତି ଭବନ ନିର୍ମାଣ ସକାଶେ ୧ କୋଟି ଟଙ୍କା ଯୋଗାଇଦିଆଯାଇଛି । ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଂଚାୟତରେ ଗୋଟିଏ ଲେଖାଏଁ ମିଶନ ଶକ୍ତି ଗୃହ ନିର୍ମାଣର ବ୍ୟବସ୍ଥା କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ଯେପରି ସୁଚାରୁ ରୂପେ ବିକ୍ରି କରିପାରିବେ ସେଥି ନିମନ୍ତେ ଟିଟିଲାଗଡ ଠାରେ ଏକ ମିଶନ ଶକ୍ତି ବଜାରର ପ୍ରତିଷ୍ଠା କରାଯାଉଛି ବୋଲି ପ୍ରକାଶ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଟିଟିଲାଗଡର ବିକାଶ ଦିଗରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ବଲାଙ୍ଗିର ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ଉଦ୍ୟମ କରିବାକୁ ସେ ଆହ୍ଵାନ ଦେଇଥିଲେ । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇ ଓଡିଶାର ମହିଳାମାନେ ମିଶନ ଶକ୍ତି ଜରିଆରେ ଉଲ୍ଲଖନୀୟ କାର୍ଯ୍ୟ କରିବା ସହ ସେମାନେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଯାହାକି ଏକ ଦୃଷ୍ଟାନ୍ତ ବୋଲି ସେ ମତବ୍ୟକ୍ତ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ବିଭାଗରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି ଓ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ବିକ୍ରି ନିମନ୍ତେ ମିଶନ ଶକ୍ତି ବଜାରର ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯେପରି ସଫଳ ଉଦ୍ୟୋଗୀ ହୋଇପାରିବେ ଏବଂ ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ରାଜ୍ୟ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମାତୃଶକ୍ତି ଜାଗ୍ରତ ହେଲେ ଅଞ୍ଚଳ, ଜିଲ୍ଲା, ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ଏବଂ ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇ ସ୍ଵୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ସହ ସଂଯୋଗିକରଣ କାର୍ଯ୍ୟରେ ବଲାଙ୍ଗିର ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ ସମ୍ପର୍କରେ ଆଲୋକପାତ କରି ଉଦ୍ୟୋଗୀ ହେବା ନିମନ୍ତେ ତାଲିମ ଓ ଭିତ୍ତିଭୂମି ସମ୍ପର୍କରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲାପାଳ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିବା ସହ ବଲାଙ୍ଗିର ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ୨୪,୦୪୫ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସହାୟତା ପ୍ରଦାନ କରାଯାଉଛି । ସ୍ଵୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ସହ ସଂଯୋଗୀକରଣ କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କର ଦକ୍ଷତା ବିକାଶ କରାଯାଇ ସ୍ଵୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ କୈଳାଶ ମିଶ୍ର ସ୍ଵୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ସହ ସଂଯୋଗୀକରଣ ଉପରେ ଆଲୋକପାତ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଖପ୍ରାଖୋଲର ଅନ୍ନପୂର୍ଣ୍ଣା ସଞ୍ଚୟିକା ମହାସଂଘ, ସଇଁତଲା, ବରଗାଁର ନାରୀଶକ୍ତି ମସାଲା ଉଦ୍ୟୋଗ ଓ ପାଟଣାଗଡ ଭାଲୁଦରହର ମା’ ସମଲେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀକୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସ୍ଵୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ସହ ସଂଯୋଗୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏଚଡିଏଫସି ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ୧୭ ଗୋଟି ବ୍ୟାଙ୍କ ମାଧ୍ୟମରେ ୧୭୮୮ ସ୍ଵୟଂ ସହାୟକ ଗୋଷ୍ଠୀକୁ ୪୧. ୨୬ କୋଟି ଟଙ୍କାର ଋଣ ସହାୟତା ଡମି ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଶେଷରେ ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିର ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମିଶନ ଶକ୍ତିର ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.