ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ବିକାଶ ଭିତ୍ତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପମେଣ୍ଟ ସେଣ୍ଟର (ଏଆଇୟୁ-ଏଏଡିସି) ଓ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍, ନୂଆଦିଲ୍ଲୀର ମିଳିତ ସହଯୋଗରେ ଆଜିଠାରୁ ‘ଶିକ୍ଷାଦାନ ଏବଂ ଅନୁସନ୍ଧାନ ପାଇଁ ଉନ୍ନତ ଆଇସିଟି ଉପକରଣର ଉପାଦେୟତା’ ଉପରେ ଅଧ୍ୟାପକ-ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ (ଏଫ୍‌ଡିପି) ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ସ୍ନାତକ ପରିଷଦର ଅଧ୍ୟକ୍ଷ, ପ୍ରଫେସର ପ୍ରତାପ କୁମାର ମହାନ୍ତି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ବହୁ ବିଶିଷ୍ଟ ଅତିଥି ଏବଂ ବକ୍ତା ଯୋଗ ଦେଇଥିଲେ । ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିସ୍ (ଏଆଇୟୁ)ର ସେକ୍ରେଟେରୀ ଜେନେରାଲ୍ ଡ. ପଙ୍କଜ ମିତ୍ତଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଆଙ୍ଗିଲା ରୁସ୍କିନ୍ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ୍, ବ୍ରିଟେନର ପ୍ରଫେସର ମନୋଜ ଦୋରା ଉଦ୍‌ଘାଟନୀ ଅଧିବେଶନର ମୁଖ୍ୟ ବକ୍ତା ଥିଲେ । ଏଆଇୟୁ-ଏଏଡିସି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୋଡାଲ ଅଫିସର, ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁ ଉଦ୍‌ଘାଟନୀ ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଚାଲିଥିବା ଏଫ୍‌ଡିପିର ସଂଯୋଜକ ଡ. ରାଜ କିଶୋର କାମ୍ପା ଏହି ସମାରୋହର ବିଷୟବସ୍ତୁ ଏବଂ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଏଫ୍‌ଡିପିର ଯୁଗ୍ମ ସଂଯୋଜକ ଡ. ସାସ୍ୱତ ସୌରଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ୪୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଚାଲିଥିବା ଏଫ୍‌ଡିପିରେ ଅଂଶଗ୍ରହଣ କରୁଛନ୍ତି, ଯାହାକି ୨୧ ଫେବୃଆରୀ ୨୦୨୩ରେ ଶେଷ ହେବ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିର ଅନୁସନ୍ଧାନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ, ଡ. ଅମରେନ୍ଦ୍ର ପାନି, ଆଇସିଟି ଉପକରଣଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାରେ ଉନ୍ନତି ପାଇଁ ବର୍ତ୍ତମାନ ସମୟରେ ଶିକ୍ଷକ ଏବଂ ଛାତ୍ରମାନଙ୍କ ଦ୍ୱାରା ଆଇସିଟି ଉପକରଣଗୁଡ଼ିକର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଆଇୟୁ-ଏଏଡିସି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମୀ ବୃନ୍ଦ ଯଥା ଡ. ବନମାଳୀ ଖୁଣ୍ଟୁଆ, ଡ. ବିଷ୍ଣୁ ଚରଣ ବେହେରା ଓ ଦେସୁଲ ସୁଦର୍ଶନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ବହୁ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.